ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗତ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ମାସବ୍ୟାପୀ ‘ସଡ଼କ ସୁରକ୍ଷା ମାସ’ ସଫଳତାର ସହ ଶେଷ ହୋଇଛି। ସ୍ଥାନୀୟ ବ୍ଲାକ୍ ଡାୟମଣ୍ଡ ଅଡିଟୋରିଅମ୍ଠାରେ ଆୟୋଜିତ ଏହି ସମାପନୀ ଉତ୍ସବରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଦୁର୍ଘଟଣାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଛନ୍ତି।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର କହିଥିଲେ ଯେ, “ସାଧନାରୁ ଶୁଦ୍ଧତା ଆସେ; ଜଣେ ନିଜେ ବଦଳିଲେ ହିଁ ସମାଜରେ ପରିବର୍ତ୍ତନ ଆସିବ।” ଶ୍ରୀ ମହାପାତ୍ର ଯାନବାହନ ଚଳାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ, ବୀମା, ଏବଂ ପ୍ରଦୂଷଣ ପ୍ରମାଣପତ୍ର ଭଳି ଆବଶ୍ୟକୀୟ ଦଲିଲ୍ ସଠିକ୍ ରଖିବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ଯୋଗଦେଇ ଦୁର୍ଘଟଣା ରୋକିବାରେ ପୋଲିସ୍ ପ୍ରଶାସନର ଭୂମିକା ଓ ସାଧାରଣ ଲୋକଙ୍କ ସହଯୋଗ ଉପରେ ଆଲୋକପାତ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ୍ କୁମାର ଏହି ଅଭିଯାନର ସଫଳତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଚଳିତ ବର୍ଷ କେବଳ ସଚେତନତା ନୁହେଁ, ବରଂ ମାନବିକ ସେବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏହି ଅବସରରେ ୯୩ ୟୁନିଟ୍ ରକ୍ତ ସଂଗ୍ରହ କରାଯିବା ସହ ବୃଦ୍ଧଜନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ବସ ଓ ଟ୍ରକ ମାଲିକ ସଂଘ, ଡ୍ରାଇଭର ସଂଘ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। NH-55 ରେ ଉପଯୁକ୍ତ ସାଇନେଜ୍ ବ୍ୟବସ୍ଥା ଓ ଯାତାୟାତ ଶୃଙ୍ଖଳା ରକ୍ଷା କରିବାକୁ ଏହି ଅବସରରେ ଶପଥ ନିଆଯାଇଥିଲା।