ମୁଖ୍ୟ ଖବର

ପୁଣି ଅନୁଗୁଳ ସହରକୁ କବ୍ଜା କରିସାରିଲେଣି ଉଠା ଦୋକାନୀ, ଉଚ୍ଛେଦ ବଦଳରେ ଟିକସ ନେଉଛି ପୌରପାଳିକା

By Angul TV Bureau

January 21, 2025

ଅନୁଗୁଳ: ଅନୁଗୁଳ ସହରକୁ ପୁଣି କବ୍ଜା କରିସାରିଲେଣି ଉଠା ଦୋକାନୀ। ଗତ କିଛି ମାସ ତଳେ ପୌରପାଳିକାର ଅନେକ ସ୍ଥାନରେ ଚଢ଼ଉ କରି ରାସ୍ତାରେ ହୋଇଥିବା ଜବରଦଖଲ ଉଠାଦୋକାନଗୁଡିକୁ ଉଠାଇ ଦିଆଯାଇଥିଲା। ସମୟ ବିତିଯିବା ସହ ପୌରପାଳିକାର ନିୟମ ମଧ୍ୟ ବଦଳି ଯାଇଥିବା ଦେଖାଯାଇଛି। ଯେଉଁଠି ପ୍ରଥମେ ଦୋକାନୀ ମାନଙ୍କୁ ବସିବାକୁ ପୌରପାଳିକା ବାରଣ କରୁଥିଲା ଏବେ ଉକ୍ତ ବ୍ୟବସାୟୀ ମାନଙ୍କ ପାଖରେ ଟିକସ ଆଦାୟରେ ବ୍ୟସ୍ତ ପୌରପାଳିକା। ପରୋକ୍ଷ ଭାବେ ଏହି ଉଠା ଦୋକାନକୁ ଜବରଦଖଲ କରିବାକୁ ପୌର ପ୍ରଶାସନ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ଅନୁଗୁଳ ସହରର ପ୍ରବେଶ ହାଟ ଛକ, କଲେଜ ଛକ ଠାରୁ ଆରମ୍ଭ କରି ଶିଶୁ ଉଦ୍ୟାନ, ଥାନା ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯିବା ରାସ୍ତା, ଷ୍ଟେଟ ବ୍ୟାଙ୍କ ସମ୍ମୁଖ, ଜିଲ୍ଲା କୋର୍ଟ ନିକଟ, ଡିଏଫଓଙ୍କ କାର୍ଯ୍ୟାଳୟ, ଥାନା ସମ୍ମୁଖ, ଅନୁଗୁଳ ବିଡିଓଙ୍କ କାର୍ଯ୍ୟାଳୟ, ପୁରୁଣା ବସଷ୍ଟାଣ୍ଡ ଯୁଆଡେ ଦେଖିବ ଜବରଦଖଲ ମାଡି ଚାଲିଛି। କେହି କାହାକୁ ମାନିବା ଅବସ୍ଥାରେ ନାହାଁନ୍ତି। ରାସ୍ତା ଘାଟ ଯେଉଁଠି ଯିଏ ପାରିଲା ନିଜର ଡେରା ପକାଇ ନେଉଛନ୍ତି। ଏଠାକୁ ଦୈନଦିନ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟାତ କରିଥାନ୍ତି। ହେଲେ ପୁଣି ଥରେ ଏହି ରାସ୍ତା ଏବେ ଉଠାଦୋକାନୀଙ୍କ କବ୍ଜାରେ।

ଅପରପକ୍ଷେ ପୌରପାଳିକାର ଟାକ୍ସ କଲେକ୍ଟର ଏମାନଙ୍କ ଠାରୁ ୨୦ ଟଙ୍କା ଟିକସ ଆଦାୟ କରି ନିତିଦିନିଆ କାମ ତୁଟାଇ ଦେଉଛନ୍ତି। ଏମାନଙ୍କୁ ଉଠାଇବା ବଦଳରେ ପୌରପାଳିକା ଟଙ୍କା ଆଦାୟ କରିବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ପୌରପାଳିକାର ମୁହଁ ପାଇ ଉଠାଦୋକାନୀ ପୁଣି ରାସ୍ତାକୁ ଜବରଦଖଲ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।