ମୁଖ୍ୟ ଖବର

ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା! ବିନା ଫଳକରେ ରାସ୍ତା କାମ, ସପ୍ତାହକରେ ଗୋଡ଼ି-ସିମେଣ୍ଟ ଅଲଗା

By Angul TV Bureau

April 20, 2025

ଅନୁଗୁଳ:ବିନା ଫଳକରେ ହେଉଛି ରାସ୍ତା କାମ। ନିର୍ମାଣର ସପ୍ତାହେ ଭିତରେ ଧୋଇଗଲା କଂକ୍ରିଟ ରାସ୍ତା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ମହୀଧରପୁର ପଞ୍ଚାୟତରେ ଏମିତି ରାସ୍ତା କାମ ହୋଇଛି। ଯାହାକୁ ନେଇ ତାତିଛନ୍ତି ଅଞ୍ଚଳବାସୀ।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବଜାର ସାହିରେ ମାତ୍ର ୫ ଦିନ ପୂର୍ବରୁ ହୋଇଥିବା ସିମେଣ୍ଟ ରାସ୍ତାରୁ ବାଲି ଗୋଡ଼ି ଓ ସିମେଣ୍ଟ ଧୋଇଯାଇଛି। ସେହି ରାସ୍ତାକୁ ଠିକାଦାର ରାତିରେ କରିବା ସହ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟଦେଶ ଅନୁଯାୟୀ ବାଲି, ସିମେଣ୍ଟ ଓ ଗୋଡ଼ି ବ୍ୟବହାର କରିନାହାନ୍ତି। ଏମିତିକି ତରବରିଆ ଭାବରେ ରାତି ଅଧରେ କାମ ହୋଇଥିବାରୁ କେହି ଜାଣି ପାରିନାହାନ୍ତି। ଫଳରେ ଠିକାଦାର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବ୍ଲକ୍ ବିଭାଗୀୟ ଯନ୍ତ୍ରୀ ନିମ୍ନମାନର କାମ କରିଛନ୍ତି। କାମର ୪ ଦିନ ପରେ ରାସ୍ତା ଧୋଇ ନେଇ ଭାଙ୍ଗିଯାଇଛି।

ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ମିଥୁନ ବେହେରାଙ୍କୁ ପଚାରିବାରୁ ସେ ରାସ୍ତା କାମ ସମ୍ପର୍କରେ ଜାଣିନଥିବା କହିଛନ୍ତି।ଅନ୍ୟପଟେ ଯନ୍ତ୍ରୀ ସୂରଜ ପଲେଇ କହିଛନ୍ତି ଯେ କାର୍ଯ୍ୟ ଅନୁଦାନ ଅର୍ଥ ନେଇ ସେ ତଦନ୍ତ କରୁଛନ୍ତି। ତେବେ ଏହି କାମର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।