ଘଟଣା ଓ ଦୁର୍ଘଟଣା

କୋରିଅର ବୟ କହି ଲୁଟ ଉଦ୍ୟମ

By Biswaranjan Pattnaik

February 24, 2023

ଅନୁଗୁଳ: ଅନୁଗୁଳ ସହରରେ ଦିନକୁ ଦିନ ନୂଆ ନୂଆ ତରିକାରେ ଲୁଟପାଟ ଓ ଚୋରି ବଢ଼ି ଚାଲିଛି। ଶିମିଳିପଡ଼ା ଖ୍ରୀଷ୍ଟିଆନ ବସ୍ତିରେ ଏଭଳି ଏକ ଲୁଟ ଉଦ୍ୟମ ଦେଖିବାକୁ ମିଳିଥିଲା। ଗୋଟିଏ ଘରେ ଜଣେ ବୃଦ୍ଧା ରହୁଥିଲେ। ସ୍ବାମୀ ଓ ପୁତ୍ରର ମୃତ୍ୟୁ ପରେ ସେ ଏକୁଟିଆ ରହୁଛନ୍ତି। ଦିନ ଦଶଟା ବେଳେ ଜଣେ ଷୋହଳ ସତର ବର୍ଷୀୟ ନାବାଳକ ବୃଦ୍ଧାଙ୍କ କବାଟ ବାଡେଇ ନିଜକୁ କୋରିଅର ବୟ ଭାବେ ପରିଚୟ ଦେଇଥିଲେ। ବୃଦ୍ଧା କବାଟ ଖୋଲିବାରୁ ପିଲାଟି ଏକ ପାର୍ଶଲ୍ ଦେଖାଇ ଥିଲା। ବୃଦ୍ଧା ଆମର କିଛି ପାର୍ଶଲ ଆସିବାର ନଥିଲା ବୋଲି କହିବା ସତ୍ୱେ ପିଲାଟି ବୃଦ୍ଧାଙ୍କୁ ଏକ ବ୍ଲେଡ ଆଣିବାକୁ କହିଥିଲା। ଯଦ୍ୱାରା ପାର୍ସଲ ଭିତରେ କଣ ଅଛି ଜଣା ପଡ଼ିବ। ବୃଦ୍ଧା ଘରୁ ଏକ ବ୍ଲେଡ୍ ଆଣି ଦେବାରୁ ପିଲାଟି ଗୋଟିଏ ହାତରେ ବୃଦ୍ଧାଙ୍କ ମୁହଁକୁ ଚାପି ଧରିବା ସହ ବ୍ଲେଡ ବେକ ପାଖରେ ଲଗାଇ ଘରେ ଯାହା ଟଙ୍କା ସୁନା ଅଛି ତାହା ଦେଇଦେବାକୁ ଧମକ ଦେଲା। ଦୈବାତ୍ ପିଲାଟି କବଳରୁ ଖସି ବୃଦ୍ଧା ଜଣକ ପାଟି କରିବାରୁ ପିଲାଟି ଦଉଡି ପଳାଇ ଯାଇଥିଲା।ତେବେ ଏଥିନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।