ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ପକ୍ଷରୁ ସହରବାସୀଙ୍କଠାରୁ ଗତ ଏପ୍ରିଲ ମାସରୁ ବର୍ଦ୍ଧିତ ହାରରେ ହୋଲ୍ଡିଂ ଟିକସ ଆଦାୟ କରିବାକୁ ନିର୍ଦ୍ଦେଶ ଜାରିକରାଯାଇଥିଲା। ମାନ୍ୟବର ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପକରି ବଦ୍ଧିତ ହାରରେ ଟିକସ ଆଦାୟ ନକରିବା ଓ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ପୁରୁଣା ଦରରେ ହୋଲ୍ଡିଂ ଟିକସ ଆଦାୟ କରିବାକୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ଜାରିକରିଛନ୍ତି। ପ୍ରକାଶ ଯେ, ଗତବର୍ଷ ଜୁଲାଇ ମାସରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ମୂଲ୍ୟାୟନ ଅଧିକାରୀ ତାଳଚେର ସହରର ଘରକୁ ଘର ବୁଲି ବଦ୍ଧିତ ହାରରେ ହୋଲ୍ଡିଂ ଟିକସ ଧାର୍ଯ୍ୟ କରିଥିଲେ। ପୌର ପରିଷଦ ପକ୍ଷରୁ ଏପ୍ରିଲ ମାସଠାରୁ ବଦ୍ଧିତ ହାରରେ ଏହି ଟିକସ ପଇଠ କରିବାକୁ ସହରବାସୀଙ୍କୁ ଜଣାଇଦିଆଯାଇଥିଲା। ନୂତନ ଟିକସରେ ଅହେତୁକ ବୃଦ୍ଧି ଘଟିଥିବାରୁ ଏହାକୁ ସହରବାସୀ ବିରୋଧ କରିଥିଲେ। ଦର କମାଇବା ପାଇଁ ସହରବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ନଗର ଉନ୍ନୟନ ବିଭାଗ ନିକଟରେ ଲିଖିତ ଦାବି କରାଯାଇଥିଲା। କିଛି ସୁଫଳ ନମିଳିବାରୁ ତାଳଚେର ଟାଉନ ଅମଲାପଡା ବାସିନ୍ଦା ସୁନିଲ ମହାପାତ୍ର ପୌର ପରିଷଦର ନିଷ୍ପତ୍ତି ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାରେ ତାଳଚେର ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ରାଜ୍ୟ ସରକାରଙ୍କ ନଗରଉନ୍ନୟନ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରି ଏକ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବର୍ଦ୍ଧିତ ହାରରେ ଟିକସ ଆଦାୟକୁ ସ୍ଥଗିତ ରଖାଯାଇଛି ଓ ପୁରୁଣା ଦରରେ ଟିକସ ପଇଠ କରିବାକୁ ଆବେଦନକାରୀଙ୍କୁ କୁହାଯାଇଛି। ମାନ୍ୟବର ହାଇକୋର୍ଟଙ୍କ ଏହି ନିଷ୍ପତ୍ତ ସଂପର୍କରେ ଜଣାପଡ଼ିବା ପରେ ବିଜେପି ପକ୍ଷରୁ ବୁଧବାର ତାଳଚେରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏହାକୁ ସ୍ବାଗତ କରାଯାଇଛି। ପାର୍ଟିର ପୌରମଣ୍ଡଳ ସଭାପତି ଯଶୋବନ୍ତ ଦାଶ, ପ୍ରକାଶ ମହାରଣା, ଯଯାତି ପଟ୍ଟନାୟକ, ରବିନାରାୟଣ ପାଣି, ନିରୋଦ ଦାସ, ଜ୍ଞାନେନ୍ଦ୍ର ସେଠୀ, ବାଲ୍ମିକୀ ପ୍ରସାଦ କେଶରୀ, ଜିତେନ୍ଦ୍ର ଦାସ, ସୁଫଳା ପୃଷ୍ଟି, ପ୍ରଶାନ୍ତ ଦାସ, ଦୀପକ ଥମ୍ବ ପ୍ରମୁଖ ଏଥିରେ ଉପସ୍ଥିତ ରହି ହାଇକୋର୍ଟଙ୍କ ନିଷ୍ପତି ସହରବାସୀଙ୍କୁ ପୌରପାଳିକାର ଅହେତୁକ ଆର୍ଥିକ ବୋଝରୁ ସୁରକ୍ଷା ଦେଇଛି ବୋଲି ମତପ୍ରକାଶ କରିଛନ୍ତି।