ମୁଖ୍ୟ ଖବର

ଉତ୍କଳ-ସି କୋଲ ବ୍ଲକ ପାଇଁ ଆରପିଡିଏସି ବୈଠକ ସଫଳ: କ୍ଷତିପୂରଣ ପ୍ୟାକେଜକୁ ଗ୍ରହଣ କଲେ ପ୍ରକଳ୍ପ ବିସ୍ଥାପିତ

By Biswaranjan Pattnaik

June 02, 2023

ସମ୍ବଲପୁର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଉତ୍କଳ-ସି କୋଲ ବ୍ଲକ ନିମନ୍ତେ ପୁନର୍ବାସ ଏବଂ ପୁନଃ-ଥଇଥାନ ପରାମର୍ଶଦାତା କମିଟି (ଆରପିଡିଏସି) ବୈଠକ ସମ୍ବଲପୁର ଠାରେ ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି।

ବୈଠକରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଗ୍ରାମର ପ୍ରତିନିଧି ଏବଂ ପରିବାରବର୍ଗ, ଏନଜିଓ /ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ କମ୍ପାନୀ ପ୍ରତିନିଧି ଉପସ୍ଥିତ ଥିଲେ। ଏ ଅବସରରେ ଆରପିଡିଏସି କମିଟି ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପୁନର୍ବାସ ଏବଂ ପୁନଃ-ଥଇଥାନ ନିମନ୍ତେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଆଲୋଚନା ପରେ କମିଟି ପ୍ରକଳ୍ପ ସ୍ତରୀୟ ପୁନର୍ବାସ ଏବଂ ପୁନଃ-ଥଇଥାନ କମିଟି (ପିଏଲଆରଆରସି) ବୈଠକରେ ଗୃହୀତ ହୋଇଥିବା ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପୁନର୍ବାସ ଏବଂ ପୁନଃ-ଥଇଥାନ ସମ୍ବନ୍ଧୀୟ ପ୍ରସ୍ତାବକୁ ଗ୍ରହଣ କରିଥିଲା l ଉତ୍କଳ-ସି କୋଲ ବ୍ଲକ ନିମନ୍ତେ ବିସ୍ଥାପିତ ହେଉଥିବା ପ୍ରତ୍ଯେକ ବିସ୍ଥାପିତ ପରିବାରକୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ପିଏଲଆରଆରସି ପ୍ରସ୍ତାବିତ ଜମି ବାବଦକୁ ଏକର ପିଛା ୧୦ ଲକ୍ଷ ଟଙ୍କା ଏକ୍ସ-ଗ୍ରାସିଆ ପରିମାଣ ବଦଳରେ ଜମିହରା ପରିବାରକୁ ଏକର ପିଛା ୧୨ ଲକ୍ଷକୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।