ମୁଖ୍ୟ ଖବର

ଜିଏସଟି ଫାଙ୍କି ୩୫ ଲକ୍ଷ ଟଙ୍କା ଜୋରିମାନା ଦେଲେ ଗହଣା ଦେକାନୀ

By Angul TV Bureau

October 10, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଦ୍ବାରା ସହରର ଏକ ଗହଣା ଦୋକାନରେ ଚଢ଼ାଉ କରାଯାଇ ଜିଏସଟି ଫାଙ୍କିବା ଅଭିଯୋଗରେ ୩୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜୋରିମାନା ଆଦାୟ କରାଯାଇଛି। ସୂଚନା ଅନୁଯାୟୀ, ଓଜନ ଓ ମାପରେ ଘୋଟାଲା ଓ କେତେବେଳେ ଜିଏସଟି ଘୋଟାଲା ନେଇ ଚର୍ଚ୍ଚାରେ ରହି ଆସୁଥିବା ସହରର ଜଣାଶୁଣା ଗହଣା ଦୋକାନରେ ଗତ ୪ ତାରିଖରେ ଅନୁଗୁଳ ଜିଏସଟି ଏନଫୋର୍ସମେଣ୍ଟ ଡ଼େପୁଟି କମିଶନର ପ୍ରମୋଦ କୁମାର ସାହୁଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ ଓ ପୁଲିସ ହରିମହୁରୀ ଛକଠାରେ ଥିବା ବନିତା ଜୁଏଲର୍ସ ଦୋକାନରେ ଚଢ଼ାଉ କରାଯାଇଥିଲା। ଦୀର୍ଘ ୧୭ ଘଣ୍ଟା ଧରି ଏହି ଚଢ଼ାଉ ଚାଲିଥିଲା। ଦୋକାନର ସମସ୍ତ କାଗଜପତ୍ର ଓ ଷ୍ଟକ୍ ଯାଞ୍ଚ କରାଯାଇଥିଲା। ଏଥିରେ ଏକ କୋଟି ୫୪ ଲକ୍ଷ ଟଙ୍କାର ଜିଏସଟି ଅନିୟମିତତା ଥିବା ଧରାପଡ଼ିଥିଲା। ଏ ନେଇ ବାଣିଜ୍ୟକର ବିଭାଗର ଜିଏସଟି ଫାଙ୍କିଥିବା ଅଭିଯୋଗରେ ମାମଲା ଦାଏର କରାଯାଇ ୩୫ ଲକ୍ଷ ୫୪ ହଜାର ୪୫୦ ଟଙ୍କା ଜୋରିମାନା ଦେବାକୁ ଗହଣା ଦୋକାନର ମାଲିକଙ୍କୁ ନିର୍ଦ୍ଦେଶ ଦିଆଗଲା। ଗହଣା ଦେକାନୀ ଶୁକ୍ରବାର ଏହି ଜୋରିମାନା ପଇଠ କରିଥିବା ଡେପୁଟି କମିଶନର ଶ୍ରୀ ସାହୁ ପ୍ରକାଶ କରିଛନ୍ତି।