ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ବଜାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମୋଟର ସାଇକେଲ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବନ୍ତଳା ଥାନା ଅନ୍ତର୍ଗତ ସାନକଞ୍ଜଣୀ ଗାଁର ଅବସରପ୍ରାପ୍ତ ସୈନିକ ନିତ୍ୟାନନ୍ଦ ପ୍ରଧାନ(୪୬) ଅପରାହ୍ନ ୩ଟା ୪୦ରେ ଷ୍ଟେଟ ବ୍ୟାଙ୍କର ବନ୍ତଳା ଶାଖାରୁ ଏକ ଲକ୍ଷ ଟଙ୍କା ଉଠାଇ ମୋଟର ସାଇକେଲ ଡିକିରେ ରଖିଥିଲେ। ସେଠାରୁଆସି ବନ୍ତଳା ବଜାରରେ ରାସ୍ତାକଡ଼ରେ ମୋଟରସାଇକେଲ ରଖି ରାସ୍ତା ପାର ହୋଇ ଏକ ଜେରକ୍ସ ଦୋକାନକୁ ଯାଇଥିଲେ। ସେଠାରୁ କାମସାରି ଫେରି ଦେଖିଲା ବେଳକୁ ଡିକ ଭାଙ୍ଗି କେହି ଏକ ଲକ୍ଷ ଟଙ୍କା ଚୋରିକରି ନେଇଛି। ଏ ନେଇ ଶ୍ରୀ ପ୍ରଧାନ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।