ମୁଖ୍ୟ ଖବର

ଅନୁଗୁଳରେ ଆରଏସଏସର ବୁଦ୍ଧିଜୀବି ସମ୍ମିଳନୀ; ‘ହିନ୍ଦୁତ୍ୱ ଏକ ଧର୍ମ ନୁହେଁ, ଏହା ଏକ ବିଚାରଧାରା’

By Angul TV Bureau

April 13, 2026

ଅନୁଗୁଳ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ଉପଲକ୍ଷେ ଅନୁଗୁଳ ନଗର ତରଫରୁ ସ୍ଥାନୀୟ ସଭାଗୃହରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରାକ୍ତନ ପ୍ରଶାସକ ବିଜନ କୁମାର ଥମ୍ବଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ସଦଭାବନା ପ୍ରମୁଖ ଗୋପାଳ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ।

ନିଜ ଅଭିଭାଷଣରେ ଶ୍ରୀ ମହାପାତ୍ର ଉଲ୍ଲେଖ କରିଥିଲେ ଯେ, “ହିନ୍ଦୁ କୌଣସି ଧର୍ମ ନୁହେଁ, ବରଂ ଏକ ବିଚାରଧାରା।” ଭାରତ ଅତୀତରେ ହିନ୍ଦୁରାଷ୍ଟ୍ର ଥିଲା ଏବଂ ଭବିଷ୍ୟତରେ ମଧ୍ୟ ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିବା ସହ ସମାଜରେ ‘ପଞ୍ଚ ପରିବର୍ତ୍ତନ’ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଘଚାଳକ ବିଜୟ କୁମାର ସାହୁ ଓ ନଗର ସଙ୍ଘଚାଳକ ଶ୍ରୀଗୋପାଳ ମୁନ୍ଦ୍ରା ମଞ୍ଚାସୀନ ଥିଲେ।

ଏହି ସମ୍ମିଳନୀରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଡାକ୍ତର, ଓକିଲ, ସାମ୍ବାଦିକ ଓ ଶିକ୍ଷାବିତ୍ ଅଂଶଗ୍ରହଣ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସରସ୍ୱତୀ ଶିଶୁ ମନ୍ଦିରର ଅଧ୍ୟକ୍ଷ ସିଦ୍ଧନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ନେତା ତରଣୀସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।