ମୁଖ୍ୟ ଖବର

ପାଳଲହଡ଼ାରେ ପିଲା ଚୋର ଗୁଜବ: ଯୁବକଙ୍କୁ ସଂଘବଦ୍ଧ ଭାବେ ଅମାନୁଷିକ ମାଡ଼, ୪ ଅଟକ

By Angul TV Bureau

March 24, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ପିଲା ଚୋର ଗୁଜବକୁ କେନ୍ଦ୍ର କରି ଜଣେ ଗାଡ଼ି ଚାଳକଙ୍କୁ ସଂଘବଦ୍ଧ ଭାବେ ଅତି ନିର୍ମମ ଆକ୍ରମଣ କରାଯାଇଛି। ସୋମବାର ରାତି ପ୍ରାୟ ୯ଟା ସମୟରେ ଶିବମନ୍ଦିର ଛକ ନିକଟସ୍ଥ ଏକ ଢାବା ସମ୍ମୁଖରେ ଏହି ଅଭାବନୀୟ ଘଟଣା ଘଟିଛି। କେଉଁଝର ଜିଲ୍ଲା ତେଲକୋଇ ଅଞ୍ଚଳରୁ ଏକ କଳା ରଙ୍ଗର ଟାଟା ହ୍ୟାରିଆର ଗାଡ଼ିରେ ପିଲା ଚୋରି କରି ନିଆଯାଉଥିବା ନେଇ ଗୁଜବ ପ୍ରସାରିତ ହେବା ପରେ ଉତ୍ତ୍ୟକ୍ତ ଯୁବଗୋଷ୍ଠୀ ଗାଡିକୁ ଅଟକାଇ ଚାଳକଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ।

ଖବର ପାଇ ପୋଲିସ ପହଞ୍ଚିଥିଲେ ହେଁ ଉତକ୍ଷିପ୍ତ ଭିଡ଼କୁ ଆୟତ୍ତ କରିବାରେ ବିଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ଉପଖଣ୍ଡ ପୋଲିସ ଅଧିକାରୀ କୈଳାସ ଚନ୍ଦ୍ର ସେଠୀ ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରିଥିଲେ। ଆହତ ଯୁବକ ଜଣକ ସମ୍ବଲପୁର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତଦନ୍ତରୁ ଗାଡିରେ କୌଣସି ଶିଶୁ ନଥିବା ଜଣାପଡିଛି। ପାଳଲହଡ଼ା ଥାନା ଅଧିକାରୀ ପ୍ରଦୀପ ମହାନ୍ତଙ୍କ ସୂଚନା ଅନୁସାରେ, ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି।