ରାଶିଫଳ

ଢେଙ୍କାନାଳ ଓ ଅନୁଗୁଳରେ ‘ଋଣ ମେଳା’: ହିତାଧିକାରୀଙ୍କୁ ୨୫୩୭ କୋଟି ଟଙ୍କାର ଋଣ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

January 20, 2024

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପଲ୍ଲିଶ୍ରୀ ମେଳା ପଡ଼ିଆରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ‘ଋଣ ମେଳା’ ତଥା ‘କ୍ରେଡିଟ୍ ଆଉଟରିଚ୍’ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏ ଅବସରରେ ସେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୧ ଲକ୍ଷ ୯୫ ହଜାର ୪୯୭ ଜଣ ଲାଭାର୍ଥୀଙ୍କୁ ୨୫୩୭ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି।

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୋଦି ଅଛନ୍ତି ମାନେ ସବୁ ସମ୍ଭବ। ପୂର୍ବରୁ ଗରିବ ଲୋକମାନେ ବ୍ୟାଙ୍କକୁ ଯାଇପାରୁନଥିଲେ। ବ୍ୟାଙ୍କରେ ଖାତା ଖୋଲି ପାରୁନଥିଲେ। ଆଜି ମୋଦି ସରକାରରେ ଏହା ପରିବର୍ତ୍ତନ ହୋଇଛି। ଗରିବ ଲୋକଙ୍କ ବ୍ୟାଙ୍କ ଖାତା ଖୋଲା କରାଇ ସେମାନଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଆର୍ଥିକ ସହାୟତା ସହ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ଗ୍ୟାରେଣ୍ଟି ଦେଇଛନ୍ତି। ମୋଦି ସରକାରଙ୍କ ସଫଳ ନୀତି କାରଣରୁ ଆଜି ଦେଶର ୨୪.୮ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ର୍ୟରୁ ମୁକ୍ତ ହୋଇ ଆତ୍ମନିର୍ଭର ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ୨୦୧୪ ବେଳେ ମାତ୍ର ୪୩୩୮ଟି ବ୍ୟାଙ୍କ ଶାଖା ଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ସମାବେଶର ଲକ୍ଷ୍ୟ ନେଇ ଭାରତ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ବ୍ୟାଙ୍କ ଓ ଆର୍ଥିକ ସେବାକୁ ୨୦୧୪ ତୁଳନାରେ ଲୋକାଭିମୁଖୀ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୋଟ ଶାଖା ବ୍ୟାଙ୍କ ସଂଖ୍ୟା ୬,୦୬୦ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଓଡ଼ିଶାରେ ମୋଟ ୨ କୋଟି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ବ୍ୟାଙ୍କ ଖାତା ଖୋଲା ଯାଇଛି ଯାହାଦ୍ଵାରା ଗରିବ ଶ୍ରେଣୀର ଲୋକେ ପାଖା ପାଖି ୪୦୦୦ କୋଟି ଟଙ୍କା ସଞ୍ଚୟ କରିଛନ୍ତି। ମୋଦି ସରକାରଙ୍କ ଅମଳରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଭିନ୍ନ ଯୋଜନାରେ ମୋଟ ୧୩.୨୧ ଲକ୍ଷ ଜଣଙ୍କୁ ୧୪,୦୮୩ କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ।

ଏହି କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଯୋଗ ଦେଇଥିଲେ।