ମୁଖ୍ୟ ଖବର

କଂଗ୍ରେସର ଟାର୍ଗେଟରେ ଆରଡବ୍ଲ୍ୟୁଏସଏସ: କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଲୋକଙ୍କୁ ପାନୀୟ ଜଳ ମିଳୁନଥିବା ଅଭିଯୋଗ

By Angul TV Bureau

July 16, 2023

ତାଳଚେର : ଆରଡବ୍ଲ୍ୟୁଏସଏସ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ ଅନୁଗୁଳବାସୀଙ୍କୁ ଆବଶ୍ୟକ ପାନୀୟ ଜଳ ମିଳୁନାହିଁ। ଏଣୁ ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇ ଥାଇପାରେ ବୋଲି ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ଆରଟିଆଇ ତଥ୍ଯ ଅନୁସାରେ ୨୦୧୪ ମସିହାରୁ ୨୦୨୧ ଯାଏଁ ତାଳଚେର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡକୁ ୧୩୦୦ କୋଟି ଟଙ୍କା ଆରଡବ୍ଲ୍ୟୁଏସଏସକୁ ମଞ୍ଜୁର କରାଯାଇଥିବା ବେଳେ କର୍ତ୍ତୃପକ୍ଷ ସେଥିରୁ ୧୧୦୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ତେବେ ଅଜସ୍ର ଟଙ୍କା ବ୍ୟୟ ହେବା ପରେ ବି ଜିଲ୍ଲାବାସୀ ପାନୀୟ ଜଳ ପାଇବାକୁ ଡହଳ ବିକଳ ହେଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି। ଚଳିତ ବର୍ଷ ଜିଲ୍ଲାର ଅନେକ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି ହୋଇଥିଲା। କିଛି ସ୍ଥାନରେ ଜଳ ଯୋଗାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସଜଡ଼ା ଯାଇ ପାରିନାହିଁ। କେତେ ସ୍ଥାନରେ ପାଇପ୍ ବିଛା ଯାଇଛି, ତାହା ମଧ୍ୟ ତଦନ୍ତ ଯୋଗ୍ୟ।

ଏ ନେଇ କଂଗ୍ରେସ ନେତା ରାଜକିଶୋର ସାହୁ ସୂଚନା ଅଧିକାର ଆଇନ ବଳରେ ତା୧୦/୦୮/୨୦୨୦ ରିଖରେ ଆରଡବ୍ଲ୍ୟୁଏସଏସ ତାଳଚେରକୁ ଅନୁମୋଦନ ଅର୍ଥ ଓ ବ୍ୟୟ ଅର୍ଥର ହିସାବ ମାଗିଥିଲେ। ଏହା ତାଙ୍କୁ ୩ ବର୍ଷ ପରେ ଚଳିତ ବର୍ଷ ଜୁନ୍ ୨୮ରେ ମିଳିଥିଲା। ତେବେ ଏହି ସବୁ ତଥ୍ଯ ସନ୍ତୋଷଜନକ ହୋଇ ନ ଥିବା ତଥା ଏକ ବିରାଟ ଦୁର୍ନୀତି ହୋଇଥିବା ଅନୁଭବ କରି ଶ୍ରୀ ସାହୁ ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଅଫ ଜେନେରାଲ, ଓଡ଼ିଶାକୁ ପତ୍ର ଲେଖି ଏହାର ସଠିକ୍ ଅଡ଼ିଟ କରିବାକୁ ନିବେଦନ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ସାହୁ, ପୂର୍ବତନ ନଗର ଯୁବ କଂଗ୍ରେସ୍ ସଭାପତି ବଜରଙ୍ଗ ଅଗ୍ରୱାଲା, ସୋସିଆଲ ମିଡ଼ିଆ ସେଲର ମୁକେଶ ଅଗ୍ରୱାଲା, ପ୍ରଦୀପ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।