ମୁଖ୍ୟ ଖବର

ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ! ଶବ ଉପରେ ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଅଭିଯୋଗ ଆଣିଲା ବିଜେଡି

By Angul TV Bureau

April 28, 2024

ଅନୁଗୁଳ : ମରଣଯନ୍ତା ପାଲଟିଛି ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ। ଏଠି ପ୍ରତିଦିନ ଦୁର୍ଘଟଣା ହେଉଥିଲା ବେଳେ ଶନିବାର ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢ଼ୁଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଏହି ଦୁର୍ଘଟଣା ଘଟିଥିଲାବେଳେ ଧର୍ମେନ୍ଦ୍ର ଏଥିପାଇଁ କାହାକୁ ଦାୟୀ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି। ଏହାସହିତ ଧର୍ମେନ୍ଦ୍ର ଶବ ଉପରେ ରାଜନୀତି କରୁଥିବା କହି ଏହାର ଜବାବ ଏଥର ରାଜ୍ୟବାସୀ ଦେବେ ବୋଲି ବିଜେଡି ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।

ସୂଚନା ମୁତାବକ, ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲାରେ ଗତକାଲି ‌ହୋଇଥିବା ଦୁର୍ଘଟଣାରେ ଛେଣ୍ଡିପଦା ବିଧାନସଭା କ୍ଷେତ୍ର ଅଧୀନରେ ଥିବା ଡେରେଜାଙ୍ଗ ଗାଁର ୩ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ପାଇଁ ଏହି ଦୁର୍ଘଟଣା ଘଟିଥିବା ବିଜେଡି କହିଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା କହିଛନ୍ତି, ଧର୍ମେନ୍ଦ୍ର ଏ ମାଟିର ପୁଅ। କିନ୍ତୁ ନିଜ ମାଟି ପାଇଁ କ’ଣ କରିଛନ୍ତି ତାହା ଏହି ଜାତୀୟ ରାଜପଥ ତାହାର ପ୍ରମାଣ ଦେଉଛି। ଧର୍ମେନ୍ଦ୍ର ଚାହିଁଥିଲେ ଏହି ରାସ୍ତା କେବେଠାରୁ ଶେଷ ହୋଇସାରନ୍ତାଣି। କିନ୍ତୁ ଅନୁଗୁଳ, ସମ୍ବଲପୁର ଓ ଢେଙ୍କାନାଳ ଲୋକଙ୍କ ସମସ୍ୟା ତାଙ୍କ ଆଖିକୁ ଦିଶୁନି। ଏହାର ଜବାବ ଲୋକେ ନିଶ୍ଚିତ ଦେବେ ବୋଲି ସେ କହିଛନ୍ତି।

ଏ ଅବସରରେ ବିଜେଡି ନେତା କୁନ ବିହାରୀ ଦାସ, ବିଜେଡି ନେତ୍ରୀ ସଂଯୁକ୍ତା ସିଂହ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ଦାୟୀ କରିଛନ୍ତି। ଏଥିସହ ଏହି ନିର୍ବାଚନରେ ଲୋକେ ଉତ୍ତର ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।