ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ: ଏପ୍ରିଲ ଓ ମେ ମାସରେ ହୋଇଥିବା ଦୁର୍ଘଟଣାର ସମୀକ୍ଷା କଲେ ଜିଲ୍ଲାପାଳ

By Angul TV Bureau

June 13, 2024

ଅନୁଗୁଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମହମ୍ମଦ ଅବାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଏପ୍ରିଲ ଓ ମେ ମାସରେ ହୋଇଥିବା ଦୁର୍ଘଟଣା ଓ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପରିବହନ ବିଭାଗ ସୂଚନା ଦେଇଥିଲା।

ପରିବହନ ବିଭାଗ ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସରେ ଜିଲ୍ଲାରେ ମୋଟ୍ ୨୭ଟି ଦୁର୍ଘଟଣା ଘଟିଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ଘଟିଛି, ୨୫ ଜଣ ଗୁରୁତର, ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ମେ ମାସରେ ୧୬ଟି ଦୁର୍ଘଟଣା ଘଟିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ଓ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଏପ୍ରିଲ ମାସରେ ୨୭୩ ଜଣ ବିନା ହେଲମେଟ୍, ୪୦ ଜଣ ବିନା ସିଟବେଲ୍ଟ ଓ ୭୯୦ ଜଣଙ୍କ ଠାରୁ ଦ୍ରୁତ ଗାଡି ଚାଳନା ପାଇଁ ଜରିମାନା ଆଦାୟ କରାଯାଇଥିବା ବେଳେ ୩୯୮ ଜଣଙ୍କର ଲାଇସେନ୍ସ ରଦ୍ଦ ହୋଇଛି। ୨୦ ଜଣ ମଦ୍ୟପାନ କରି ଗାଡିଚାଳନା ଓ ୨୦ଟି ଗାଡି ଜବତ କରାଯାଇଥିଲା । ମେ ମାସରେ ୪୪୦ ଜଣ ବିନା ହେଲମେଟ୍, ୩୨ ଜଣ ବିନା ସିଟବେଲ୍ଟ ଓ ୬୧୬ ଜଣଙ୍କ ଠାରୁ ଦ୍ରୁତ ଗାଡି ଚାଳନା ପାଇଁ ଜରିମାନା ଆଦାୟ କରାଯାଇଥିବା ବେଳେ ୩୦୬ ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଥିଲା। ୧୧ ଜଣ ମଦ୍ୟପାନ କରି ଗାଡିଚାଳନା ଓ ୧୧ଟି ଗାଡି ଜବତ କରାଯାଇଥିଲା। ବୈଠକରେ ବିନା ଆଇ ଏସ୍ ଆଇ ମାର୍କ ଥିବା ହେଲମେଟର ବିକ୍ରୟ ଉପରେ କଟକଣା କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଖରାପ ହୋଇଯାଇଥିବା ରାସ୍ତା ଗୁଡିକୁ ବର୍ଷା ଦିନ ପୂର୍ବରୁ ଖୁବ୍ ଶୀଘ୍ର ମରାମତି କରିବା ସହ ରାସ୍ତା ଉପରେ ଯେପରି ପାଣି ନଜମେ ସେ ସମ୍ପର୍କରେ ତଦାରଖ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିରଞ୍ଚି ବାଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ ଓ ଟ୍ରକ ମାଲିକ ସଂଘର ସଭାପତି ଅମକା ପ୍ରସାଦ ଭଟ୍ଟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।