ଘଟଣା ଓ ଦୁର୍ଘଟଣା

ମେଡିକାଲ୍ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଅଭିଯୋଗ

By Biswaranjan Pattnaik

May 18, 2021

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ପୂର୍ବାହ୍ନରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ମେଡିକାଲ୍ ମ୍ୟାନେଜର ଜଣେ ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସଫେଇ କର୍ମଚାରୀମାନେ ଏମସିଏଚ୍ ବିଲ୍ଡିଂ ସାମ୍ନାରେ ଧାରଣାରେ ବସିଥିଲେ । ଫଳରେ କେଇ ଘଣ୍ଟା ପାଇଁ ସଫେଇ କାର୍ଯ୍ୟ ଠପ୍ ହୋଇଯାଇଥିଲା। ପ୍ରାପ୍ତ ସୂଚନା ମୁତାବକ, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମେଡିକାଲ ମ୍ୟାନେଜର ଦେବାଶିଷ ଦାସ ଜଣେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଘଟଣା ଅନ୍ୟ ସଫେଇ କର୍ମଚାରୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଫେଇ କର୍ମଚାରୀମାନେ ଏମ୍‌ସିଏଚ୍‌ ବିଲ୍ଡିଂ ସାମ୍ନାରେ ହୋହାଲ୍ଲା କରିଥିଲେ। ଏମିତିକି କାମରୁ ନିବୃତ୍ତ ରହି ଧାରଣାରେ ବସିଥିଲେ। ମେଡିକାଲ୍ ମ୍ୟାନେଜର ମନମୁଖୀ ଶାସନ ଚଳାଇ ଆସୁଛନ୍ତି। ସଫେଇ କର୍ମଚାରୀମାନଙ୍କୁ ନିୟମିତ ଏଭଳି ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଥିଲେ । ମ୍ୟାନେଜର ସେମାନଙ୍କ ପାଖକୁ ଆସି ଭୁଲ ମାଗିଲେ ସେମାନେ ଆନ୍ଦୋଳନରୁ ଓହରିବେ ବୋଲି କହିଥିଲେ । ସେମାନେ ଧାରଣାରେ ବସିବା ଦ୍ଵାରା ଅପରାହ୍ନ ୩ଟା ପର୍ଯ୍ୟନ୍ତ ମେଡିକାଲ୍‌ରେ ସଫେଇ କାର୍ଯ୍ୟ ଠପ୍ ହୋଇଯାଇଥିଲା। ଶେଷରେ ମେଡିକାଲ୍ ମ୍ୟାନେଜର ପହଞ୍ଚି ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ । ସେ ଜାଣିଶୁଣି କୌଣସି ଦୁର୍ବ୍ୟବହାର କରିନାହାନ୍ତି। ଯାହା ବି ହୋଇଛି ଭୁଲ୍‌ବଶତଃ ହୋଇଥିବା କହିବା ପରେ ସଫେଇ କର୍ମଚାରୀମାନେ ନରମି ଥିଲେ ଓ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡ଼ିଛି।