ଘଟଣା ଓ ଦୁର୍ଘଟଣା

ଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ଉ: ଲକ୍ଷାଧିକ ଟଙ୍କାର ଶାଗୁଆନ ପଟ୍ଟା ଓ ଶାଳ ଚୌକାଠ ଜବତ

By Sanjeeb Biswal

September 30, 2023

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ ଶନିବାର ଦୁଇଟି ସ୍ଥାନରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ ପଟ୍ଟା ଓ ଶାଳ ଚୌକାଠ ଜବତ କରାଯାଇଛି।

ବନବିଭାଗ ସୂଚନା ମୁତାବକ, ଆଜି ସକାଳ ୮ଟାରେ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ସତ୍ୟନାରାୟଣ ମାଝୀଙ୍କ ନେତୃତ୍ୱରେ ଛେଣ୍ତିପଦା କୁମ୍ଭାର ସାହିରେ ଚଢଉ କରାଯାଇଥିଲା। କୁମ୍ଭାର ସାହିର ଏକ ବେଆଇନ ଫର୍ଣ୍ଣିଚର କାରଖାନାରୁ ପ୍ରାୟ ୭୦ ରୁ ଊର୍ଦ୍ଧ୍ଵ ଶାଗୁଆନ ପଟ୍ଟା ଓ ୨୩ ଖଣ୍ତ ଶାଳ ଚଉକାଠ ଜବତ କରାଯାଇଛି। ଜବତ ହୋଇଥିବା କାଠ ୨୫ ସିଫ୍ଟରୁ ଅଧିକ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ।ସେହିପରି ଛେଣ୍ଡିପଦା ବନାଞ୍ଚଳର ପାଟକମୁଣ୍ଡା ପଞ୍ଚାୟତର ବାଘୁଆବୋଲ ଗ୍ରାମରେ ଚଢ଼ାଉ କରି ବ୍ୟାପକ ଶାଗୁଆନ ପଟ୍ଟା ଓ ଶାଳ ଚୌକାଠ ଜବତ କରାଯାଇଛି। ବାଘୁଆବୋଲ ଗ୍ରାମ ନିକଟସ୍ଥ ଏକ ଆମ୍ବ ବଗିଚାରେ ବନବିଭାଗ ଚଢ଼ାଉ କରି ୫୧ ଖଣ୍ଡ ଶାଗୁଆନ ପଟ୍ଟା ଓ ୧୩ ଖଣ୍ଡ ଶାଳ ଚୌକାଠ ଜବତ କରି ବନବିଭାଗ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଜବତ କାଠ ୧୪.୨୩ ସିଫ୍ଟରୁ ଊର୍ଦ୍ଧ୍ଵ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ଚଢ଼ଉରେ ଫରେଷ୍ଟର ସୁଶାନ୍ତ କୁମାର ନାଏକ, ପଦ୍ମଚରଣ ସାହୁ, ମହେଶ୍ୱର ପ୍ରଧାନ, ଫରେଷ୍ଟ ଗାର୍ଡ ମିନତୀ ବେହେରା, ରଜନୀଗନ୍ଧା ପ୍ରଧାନ, ଲୁଲୁ ପ୍ରଧାନ, ଆଦିକନ୍ଦ ପ୍ରଧାନଙ୍କ ସମେତ ଅନ୍ୟ ବନକର୍ମଚାରୀ ସାମିଲ ଥିଲେ।