ସ୍ୱତନ୍ତ୍ର

୨୪ ତମ ପୁଣ୍ୟତିଥି: କାରଗିଲ ସହିଦ ମାନସ ରଞ୍ଜନ ଅମର ରହେ

By Biswaranjan Pattnaik

June 07, 2023

ଅନୁଗୁଳ: ୧୯୯୯ ମସିହା ଜୁନ ୭ ତାରିଖର ସକାଳ ପ୍ରାୟ ୭ଟା କାରଗିଲର ଦ୍ରାସ ସେକ୍ଟରରେ ଭାରତୀୟ ସେନା ଓ ପାକିସ୍ଥାନୀ ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥାଏ। ଉଭୟ ପକ୍ଷ ମଧ୍ୟରେ ଗୋଳା ବିନିମୟ ଚାଲିଥାଏ। ଏହି ସମୟରେ ଭାରତୀୟ ସେନାର ୱାରଲେସ ସିଷ୍ଟମ୍ କୁ ସମ୍ଭାଳୁଥିବା ରାଡାର ଶତ୍ରୁ ପକ୍ଷର ଆକ୍ରମଣରେ ଖରାପ ହୋଇଯାଇଥିଲା। ଏହି ସିଷ୍ଟମ୍ କୁ ସଜାଡ଼ିବା ପାଇଁ ଲାନସ ନାୟକ ମାନସ ରଞ୍ଜନ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ମାନସ ସିଷ୍ଟମ୍ କୁ ସଜାଡୁ ଥିବା ବେଳେ ହଠାତ୍ ଗୋଟାଏ ଗୋଳ। ଆସି ତାଙ୍କ ନିକଟରେ ପଡ଼ିଥିଲା। ଏଥିରେ ମାନସ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏୟାର ଲିଫ୍ଟ କରି ଶ୍ରୀନଗର ନେବା ବାଟରେ ସେ ସହିଦ ହୋଇଯାଇଥିଲେ। ଅନୁଗୁଳର ବୀର ପୁତ୍ର ମାନସ ୧୯୭୫ ମସିହା ଫେବ୍ରୁଆରୀ ୨୬ ତାରିଖରେ ପିତା ନବଘନ ସାହୁ ଓ ମା ବସନ୍ତ ମଞ୍ଜରୀ ସାହୁ ଙ୍କ ଔରସରୁ ଜନ୍ମ ହୋଇଥିଲେ।

ଅନୁଗୁଳରୁ ଯୁକ୍ତ ଦୁଇ ପଢା ସାରି ଆଇଟିଆଇରେ ପ୍ରଶିକ୍ଷଣ ନେବା ପରେ ସେନାରେ ଭର୍ତ୍ତି ହୋଇଥିଲେ। ପିଲାଟି ଦିନରୁ ଦେଶ ପାଇଁ କାମ କରିବାକୁ ତାଙ୍କର ଆଗ୍ରହ ଥିଲା। ସେ ଯେପରି ସାହସୀ ସେଭଳି ନିଷ୍ଠାବାନ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ତାଙ୍କ ମର ଶରୀରକୁ ଯେତେବେଳେ ଜାତୀୟ ପତାକାରେ ଢାଙ୍କି ଅନୁଗୁଳ ଅଣାଯାଇ ଥିଲା ହଜାର ହଜାର ଅନୁଗୁଳ ବାସୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସହିଦ ମାନସଙ୍କ ୨୪ ତମ ପୁଣ୍ୟ ତିଥିରେ ଏଟିଭି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।