ଅନୁଗୋଳ: ସମ୍ବଲପୁର-କଟକ ଜାତୀୟ ରାଜପଥ NH-୫୫ର ୬-ଲେନ୍ ସମ୍ପ୍ରସାରଣ ଏବଂ ୪ଟି ଅଣ୍ଡରପାସ୍ ଓ ଫ୍ଲାଏଓଭର ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ସମ୍ବଲପୁର-ଅନୁଗୋଳ-କଟକ କରିଡର ପଶ୍ଚିମ ଓଡ଼ିଶାକୁ ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ସହ ଯୋଡ଼ୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ।
ଏଠାରେ ଯାତ୍ରୀବାହୀ, ମାଲବାହୀ ଓ ଖଣିଜ ଗାଡ଼ି ଚଳାଚଳ ବୃଦ୍ଧି ପାଉଥିବାରୁ ବର୍ତ୍ତମାନର ୪-ଲେନ୍ ରାସ୍ତାକୁ ୬-ଲେନ୍ କରିବା ସହ ଦୁଇ ପାର୍ଶ୍ୱରେ ସର୍ଭିସ ରୋଡ୍ ନିର୍ମାଣ ଜରୁରୀ।
ସେହିପରି ଅନୁଗୋଳ-ସମ୍ବଲପୁର ସେକ୍ସନର ଜିନ୍ଦଲ ରୋଡ୍, ଜରପଡ଼ା, ଜେରାଙ୍ଗ ଓ ଚାରମାଳ ଠାରେ ପଦଚାରୀ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ୪ଟି ଅଣ୍ଡରପାସ୍ ନିର୍ମାଣକୁ ମଞ୍ଜୁରୀ ଦେବାକୁ ସେ ଅନୁରୋଧ କରିଛନ୍ତି। ଏଥିସହ NH-୫୩ ସ୍ଥିତ ସମ୍ବଲପୁର ସିଟି ରେଳ ଷ୍ଟେସନ ଛକ ବ୍ଲାକ୍ ସ୍ପଟ୍ ପାଲଟିଥିବାରୁ ସେଠାରେ ଫ୍ଲାଏଓଭର ନିର୍ମାଣ ପାଇଁ ମଧ୍ୟ ଦାବି କରିଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଶିଳ୍ପ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି।