ମୁଖ୍ୟ ଖବର

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବାର୍ଷିକ ସମୀକ୍ଷା: ଆଠମଲ୍ଲିକସ୍ଥିତ ଜଙ୍ଗଲର ପୁନରୁଦ୍ଧାର ଓ ଚାଲିଥିବା ପ୍ରକଳ୍ପ ଦ୍ବାରା ଲୋକଙ୍କ ଆୟ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ

By Angul TV Bureau

June 23, 2023

ଅନୁଗୁଳ: ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆଠମଲ୍ଲିକ ବନଖଣ୍ଡ ତରଫରୁ ବାର୍ଷିକ ସମୀକ୍ଷା ବୈଠକ ସ୍ଥାନୀୟ ଫରେଷ୍ଟ ରେଞ୍ଜର୍ସ ଟ୍ରେନିଂ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜଙ୍ଗଲର ପୁନରୁଦ୍ଧାର ଓ ଚାଲିଥିବା ପ୍ରକଳ୍ପ ଦ୍ବାରା ଲୋକଙ୍କ ଆୟ ବୃଦ୍ଧି କରିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବନ ସୁରକ୍ଷା ସମିତି ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ପ୍ରକଳ୍ପ ଦ୍ବାରା ପରିଚାଳିତ ୭୫ଟି ବନ ସଂରକ୍ଷଣ ସମିତିର କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ। ଇତି ମଧ୍ୟରେ ୬ ହଜାର ୬୯୦ ହେକ୍ଟର ଜଙ୍ଗଲ ସୁରକ୍ଷା ସହିତ ୨ ହଜାର ୭୧୦ ହେକ୍ଟରରେ ୭୬ ହଜାର ୮୦୦ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଇପାରିଛି। ଆଠମଲ୍ଲିକ ବନଖଣ୍ଡ ଅଞ୍ଚଳରେ ବିଗତ ୬ ବର୍ଷ ମଧ୍ୟରେ ୭ଲକ୍ଷ ୫୦ ହଜାର ଲୋକ ଦିବସ ସୃଷ୍ଟି କରିବା ସହିତ ବିଭିନ୍ନ ବିଭାଗ ଦ୍ବାରା ମୋଟ ୨୭ କୋଟି ଟଙ୍କାର ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇଛି। ୭୨ଗୋଟି ବନ ସଂରକ୍ଷଣ ସମିତିକୁ ମୋଟ ୧ କୋଟି ୫୦ ଲକ୍ଷ ଟଙ୍କାର ଆୟବୃଦ୍ଧି କାର୍ଯ୍ୟକ୍ରମ କରାଯିବା ସହିତ ଡିଜିଟାଲ ଶିକ୍ଷା, ଯୁବକ ଯୁବତୀଙ୍କୁ ଧନ୍ଦାମୂଳକ କାର୍ଯ୍ୟକ୍ରମ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ସଚେତନତା, କୃଷି ଉନ୍ନୟନ ଆଦି କାର୍ଯ୍ୟକ୍ରମ କରାଯାଉଛି ବୋଲି ସୂଚନା ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ବନ ସରଂକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ଖେରା, ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟର ଉପ ପ୍ରକଳ୍ପ ନିର୍ଦ୍ଦେଶକ ଯଶୋବନ୍ତ ଦେରିଆ, ବନରାଜ ମହାବିଦ୍ୟାଳୟର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ବେହେରା, ସାତକୋଶିଆ ବନ୍ୟପ୍ରାଣୀ ଅଧିକାରୀ ଗୌରୀ ଶଙ୍କର ଦାସ, ଅନୁଗୁଳ ବନଖଣ୍ଡ ସଂରକ୍ଷକ ସଚ୍ଚିଦାନନ୍ଦ ସେଠ, ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଜପୁଲା, ରାଉଲକେଲାର ଆଞ୍ଚଳିକ ବନ ସଂରକ୍ଷକ ଡ. ଅରୁଣ କୁମାର ମିଶ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ, ଓଡିଶା ଡିଜିଟାଲ ମିଶନ ପ୍ରତିନିଧି ସୁଜାତା କୁମାରୀ, ସହାୟକ ଜିଲ୍ଲା କୃଷି ଅଧିକାରୀ ପ୍ରଭାତୀ ରାମ ପ୍ରମୁଖ ଉପସ୍ଥିତ ଥିଲେ।