ମୁଖ୍ୟ ଖବର

ସେବାରେ ତ୍ରୁଟି ହେତୁ ସାମସଙ୍ଗ କମ୍ପାନୀକୁ ୧ ଲକ୍ଷ ଟଙ୍କା ଜରିମାନା

By Biswaranjan Pattnaik

March 31, 2023

ଅନୁଗୁଳ: ଜଣେ ଗ୍ରାହକଙ୍କୁ ସେବା ଯୋଗାଇବାରେ ଅବହେଳା ହେତୁ ସାମସଙ୍ଗ କମ୍ପାନୀକୁ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

ସୂଚନା ଯେ, ତାଳଚେର ସାଉଥ ବଲଣ୍ଡାର ସୁବାସ ଚନ୍ଦ୍ର ଗର୍ଗ ୨୫.୪.୨୦୧୬ରେ ଅନୁଗୁଳର ରେଡିଏଣ୍ଟ ଏଜେନ୍ସିରୁ ଏକ ସାମସଙ୍ଗ ଫ୍ରିଜ କିଣିଥିଲେ। ଯାହାର ମୂଲ୍ୟ ଥିଲା ୮୭,୩୦୦ ଟଙ୍କା। ଏଥିରେ ବାର ମାସର ୱାରେଣ୍ଟି ଫ୍ରିଜ ପାଇଁ ଓ କଂପ୍ରେସର ପାଇଁ ୧୦ ବର୍ଷର ୱାରେଣ୍ଟି ରହିଥିଲା। ୨୭.୨.୨୧ରେ ଫ୍ରିଜଟି ଖରାପ ହୋଇଯିବାରୁ ସୁବାସ ୨.୩.୨୧ରେ ଦୋକାନୀଙ୍କୁ ଅଭିଯୋଗ କରିଥିଲେ। ସେ ଗ୍ରାହକଙ୍କୁ ସର୍ଭିସ ଷ୍ଟେସନକୁ ଯିବା ପାଇଁ କହିଥିଲେ। ଏହାପରେ ଗ୍ରାହକ ଜଣକ ଫ୍ରିଜକୁ ସର୍ଭିସ ଷ୍ଟେସନକୁ ନେଇଥିଲେ।

ସର୍ଭିସ ଷ୍ଟେସନ ମ୍ୟାନେଜର ଏହାର ପାର୍ଟସ ମିଲୁନଥିବାରୁ ଏହା ମରାମତି ହୋଇ ପାରିବ ନାହିଁ ବୋଲି କହିଥିଲେ । ଏହାପରେ ସୁବାସ ହରିୟାଣାରେ ଅବସ୍ଥିତ ସାମସଙ୍ଗ କମ୍ପାନୀକୁ ଚିଠି ଲେଖିଥିଲେ। କିନ୍ତୁ କମ୍ପାନୀ କିଛି ଶୁଣି ନଥିଲା। ତେଣୁ ବାଧ୍ୟ ହୋଇ ସୁବାସ ୭.୯.୨୧ରେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଅଦାଲତ ମଧ୍ୟ କମ୍ପାନୀକୁ ନୋଟିସ ଜାରି କରିଥିଲେ ହେଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ଦେଇ ପାରିନଥିଲା ।ତେଣୁ ଅଦାଲତ ପକ୍ଷରୁ ଅଧ୍ୟକ୍ଷ ସରୋଜ କୁମାର ସାହୁ ଓ ସଦସ୍ୟ ଏସ ରଥ ଏକ ପାଖିଆ ଶୁଣାଣି କରି ସାମସଙ୍ଗ କମ୍ପାନୀକୁ ଫ୍ରିଜର ତ୍ରୁଟି ନେଇ ୫୦ ହଜାର ଟଙ୍କା,ଠିକଣା ସମୟରେ ମରାମତି ନ କରିବାରୁ ଗ୍ରାହକ ଯେଉଁ ମାନସିକ ଯନ୍ତ୍ରଣା ପାଇଲେ ସେଥିପାଇଁ ୪୦ ହଜାର ଟଙ୍କା ଏବଂ ମକଦ୍ଦମା ଖର୍ଚ ୧୦ ହଜାର ଏହିଭଳି ମୋଟ ୧ ଲକ୍ଷ ଟଙ୍କା ଏକ ମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଗ୍ରାହକଙ୍କ ପକ୍ଷରୁ ଆଡଭୋକେଟ ଭୁପେଶ ଚନ୍ଦ୍ର ପ୍ରଧାନ ମକଦ୍ଦମା ପରିଚାଳନା କରୁଥିଲେ।