ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଗୁଳ ସଙ୍କୁଳର ତିନିଦିନିଆ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ଉଦଘାଟିତ ହୋଇଛି। ଶିକ୍ଷା ବିକାଶ ସମିତିର ପ୍ରାକ୍ତନ ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ। ସଙ୍କୁଳ ପ୍ରମୁଖ କାଶୀନାଥ ବେହେରା କାର୍ଯ୍ୟଶାଳାର ଆଭିମୁଖ୍ୟ ରଖିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟ ସୁରେଶ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଶିବିରରେ ପଞ୍ଚପଦୀ ଶିକ୍ଷା ପଦ୍ଧତି ଓ ନୂତନ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ଵୟନ ଉପରେ ଗୁରୁତ୍ୱ ଦିଆଯାଉଛି। କାର୍ଯ୍ୟକ୍ରମରେ ପରିଚାଳନା ସମିତି ସଭାପତି ଡ. ସୁଧାକର ପାଳ ଓ ବିଭାଗ ନିରୀକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଅନୁଗୁଳ, ବଅଁରପାଳ ଓ ବନ୍ତଳା ସମେତ ବିଭିନ୍ନ ଶିଶୁ ମନ୍ଦିରରୁ ୧୫୩ ଜଣ ଆଚାର୍ଯ୍ୟ ଅଂଶଗ୍ରହଣ କରିଛନ୍ତି। ଶେଷରେ ଡ. ସିଦ୍ଧନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।