ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଉମାଶଙ୍କର ବଜାରସ୍ଥିତ ଶ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଗ୍ରହରାଜ ଶ୍ରୀ ଶନିଶ୍ଚର ଦେବଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଧାର୍ମିକ କାର୍ଯ୍ୟକ୍ରମ ତିନି ଦିନ ଧରି ମହାସମାରୋହରେ ପାଳିତ ହୋଇଥିଲା।
କାର୍ଯ୍ୟକ୍ରମର ପ୍ରଥମ ଦିନରେ ଶତାଧିକ ଶ୍ରଦ୍ଧାଳୁ ଗ୍ରାମ୍ୟ ପୁଷ୍କରିଣୀରୁ କଳସ ଶୋଭାଯାତ୍ରାରେ ଜଳ ଆଣି ଶନିଦେବଙ୍କ ଜଳାଭିଷେକ କରିଥିଲେ। ଦ୍ୱିତୀୟ ଦିନରେ ସୂର୍ଯ୍ୟ ପୂଜା, ଗୋ-ପୂଜା ଓ ମଣ୍ଡଳାଦି ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ଅନ୍ତିମ ଦିନରେ ପ୍ରାଣ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ମୁଖ୍ୟ ପୁରୋହିତ ତପନ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ନବଗ୍ରହ ପ୍ରତିଷ୍ଠା ଓ ଏହି ଆଧ୍ୟାତ୍ମିକ ପରିବେଶ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।