ମୁଖ୍ୟ ଖବର

ବାଗଡ଼ିଆ ପଞ୍ଚାୟତରେ ପରିମଳ ଅବ୍ୟବସ୍ଥା ଚରମ ସୀମାରେ, ଆଁ କରିଛି ଡ୍ରେନ

By Sanjeeb Biswal

August 07, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡିଆ ପଞ୍ଚାୟତରେ ପରିମଳ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ଏବେ ଯାଏଁ ଏଠାକାର ଅଧିକାଂଶ ଡ୍ରେନ୍ ସଫା କରାଯାଇନାହିଁ। ପଲିଥିନ, ଜରି, ଯାବତୀୟ ଅଳିଆ ଆବର୍ଜନା, ଇଟା ପଥର ଆଦି ଡ୍ରେନ୍ ରେ ଭର୍ତ୍ତି ହୋଇ ରହିଛି। ଫଳରେ ପାଣି ଯିବା ପାଇଁ ବାଟ ନାହିଁ।

୧୪ ଟି ୱାର୍ଡକୁ ନେଇ ଗଠିତ ବାଗଡିଆ ପଞ୍ଚାୟତର ପ୍ରାୟ ଅଧିକାଂଶ ୱାର୍ଡରେ ଏ ପର୍ଯ୍ୟନ୍ତ ଡ୍ରେନଗୁଡିକ ଅସଜଡା ହୋଇ ପଡ଼ି ରହିଛି। ପଞ୍ଚାୟତର ଦାୟିତ୍ୱହୀନତା ଯୋଗୁଁ ଡ୍ରେନରେ ଏଭଳି ଅପରିଷ୍କାର ଓ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ସବୁଠି କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି। ଫଳରେ ଲୋକମାନେ ରାସ୍ତାରେ ଚାଲିବା କଷ୍ଟକର ହୋଇପଡିଛି। ସବୁଠି ଡ୍ରେନ୍ଗୁଡିକ ମୁକୁଳା ହୋଇ ପଡ଼ିଥିବାରୁ ଜୀବନ ପ୍ରତି ମଧ୍ୟ ଭୟ ସାଜିଛି। ସାମାନ୍ୟ ବର୍ଷା ହେଲେ ଡ୍ରେନ୍ ପାଣି ରାସ୍ତାରେ ଲହଡ଼ି ଭାଙ୍ଗୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି।

ଅନ୍ୟପଟେ ଗତବର୍ଷ ବାଗଡିଆ ପଞ୍ଚାୟତରେ ଅନେକ ଗୁଡ଼ିଏ ଡ୍ରେନ୍ କାର୍ଯ୍ୟ ହୋଇଥିଲା। ମାତ୍ର ସେଗୁଡିକ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଅନେକ ଭାଙ୍ଗି ଗଲାଣି। ତେବେ କେବେ ଏହି ଅବ୍ୟବସ୍ଥା ଉପରେ ପ୍ରଶାସନର ନଜର ପଡ଼ିବ ତାହା ଦେଖିବାକୁ ବାକି ରହିଲା।