ଅନ୍ୟାନ୍ୟ

ପ୍ରଥମ ଭାଷା ସମ୍ମିଳନୀ ଅବସରରେ ସାରସ୍ଵତ ଆଲୋଚନାଚକ୍ର

By Biswaranjan Pattnaik

February 05, 2024

ଅନୁଗୁଳ: ଅନୁଗୁଳ ପୌରପାଳିକା ସମ୍ମିଳନୀ କକ୍ଷ ରେ ଆଜି ଅପରାହ୍ନରେ ପ୍ରଥମ ଭାଷା ସମ୍ମିଳନୀ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ଅନୁଗୁଳ ସାହିତ୍ୟ ସଂସଦ ସଭାପତି କୁମୁଦ ଚନ୍ଦ୍ର ଦାସ। ଶ୍ରୀ ଦାସ ନିଜ ଅଭିଭାଷଣରେ ଓଡ଼ିଆ ଭାଷାର କ୍ରମ ବିବର୍ତ୍ତନ ଓ ଶାସ୍ତ୍ରୀୟତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୂପେ ସାହିତ୍ୟ ସଂସଦ ସମ୍ପାଦକ ରାଧାକାନ୍ତ ମହାନ୍ତି ଯୋଗଦେଇ ବିଶ୍ଵ ଭାଷା ସମ୍ମିଳନୀର ଉପାଦେୟତା ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ପୌର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ସମାରୋହରେ ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତନୁ କୁମାର ସର,ଗାଳ୍ପିକ ଅସିତ୍ ପଟ୍ଟନାୟକ,କବୟିତ୍ରୀ ଡ଼ା ଇନ୍ଦିରା ଦାଶ,ଡ଼ା ସଦାନନ୍ଦ ପରିଡ଼ା ଙ୍କ ସମେତ କୁମୁଦ ଚନ୍ଦ୍ର ଦାସଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଏବଂ ସ୍ମୃତି ଫଳକ ଦିଆଯାଇ ସମ୍ବର୍ଧିତ କରାଯାଇଥିଲା।ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ସର ଭାଷାକୁ ଜାତିର ଅନ୍ତରାତ୍ମା ଏବଂ ଏବେ ଏହାର ନବଜାଗରଣର ସମୟ ଆସିଛି ବୋଲି କହିଥିଲେ।ଇନ୍ଦିରା ଦାଶ ନୂଆ ପିଢ଼ି ସାହିତ୍ୟ ଭାଷା ପ୍ରତି ଅଧିକ ରୁଚି ରଖିବାକୁ ଆହ୍ବାନ ଦେଇଥିଲେ। ନଗରପାଳ ଶ୍ରୀ ସାମନ୍ତ ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଶେଷରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର ବିଭିନ୍ନ କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।