ମୁଖ୍ୟ ଖବର

ଓଡ଼ିଶା କଂଗ୍ରେସର ନୂଆ ସଭାପତି ହେଲେ ଶରତ ପଟ୍ଟନାୟକ

By Angul TV Bureau

May 23, 2022

ଭୁବନେଶ୍ୱର: କଂଗ୍ରେସକୁ ମିଳିଲା ନୂଆ ସଭାପତି। ନୂଆ ପିସିସି ସଭାପତି ଭାବେ ନିଯୁକ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ। ଓଡ଼ିଶା କଂଗ୍ରେସର ମଙ୍ଗ ଏବେ ତାଙ୍କ ହାତରେ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଗ୍ରହଣ କରିଛନ୍ତି ବୋଲି ଏଆଇସିସି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ପୂର୍ବରୁ ଶରତ ପଟ୍ଟନାୟକ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଥିଲେ। ପଶ୍ଚିମ ଓଡ଼ିଶାର ଏହି ନେତା ବଲାଙ୍ଗୀରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ଏ ନେଇ ଶରତ ପଟ୍ଟନାୟକ କହିଛନ୍ତି, ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି। ଯାହା ଅଛି ତାହା ପରିବାରର କଥା। ଆଲୋଚନା ଜରିଆରେ ସମାଧାନ ହେବ। ଆମେ ସମସ୍ତେ ଏକାଠି ମିଶିକରି କାମ କରିବୁ।

ପିସିସି ପରିବର୍ତ୍ତନ ନେଇ ଦୀର୍ଘ ଦିନ ହେବ ଦିଲ୍ଲୀରେ ଆଲୋଚନା ଚାଲିଥିଲା। ନିକଟରେ ଅନେକ କଂଗ୍ରେସ ନେତା ଦିଲ୍ଲୀର ଶୀର୍ଷ ନେତାଙ୍କୁ ଭେଟିଥିଲେ। ସେମାନେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାନଯାଉ ବୋଲି ଦାବି କରିଥିଲେ ବୋଲି ସୂଚନା ମିଳିଥିଲା। କିନ୍ତୁ ଶେଷରେ କଂଗ୍ରେସ ଶରତ ପଟ୍ଟନାୟକଙ୍କୁ କମାଣ ଦେଇଛି।