ମୁଖ୍ୟ ଖବର

ବାପା ଛେଉଣ୍ଡ ମନୋଜଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅନୁଗୁଳ ବିଧାୟକଙ୍କ ପତ୍ନୀ ସରିତା ପ୍ରଧାନ, ରାସନ କାର୍ଡ ଓ ଗୃହ ପାଇଁ ଦେଲେ ପ୍ରତିଶ୍ରୁତି

By Angul TV Bureau

June 08, 2024

ଅନୁଗୁଳ: ଅସହାୟକୁ ସହାୟତାର ହାତ ବଢ଼ାଇଛନ୍ତି ନବନିର୍ବାଚିତ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ସରିତା ପ୍ରଧାନ। ବାପ ଛେଉଣ୍ଡ ସ୍କୁଲ ପିଲାର ଦୁଃଖ ବୁଝିବା ସହିତ ତା’ ପାଠପଢ଼ା ଓ ରହିବା ପାଇଁ ଘରଟିଏ ତିଆରି କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହ ରାସନ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଛନ୍ତି।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ୨ ନମ୍ବର ୱାର୍ଡରେ ରୁହନ୍ତି ମନୋଜ ପ୍ରଧାନ। ସ୍ବର୍ଗତ ବିଭୂତି ପ୍ରଧାନଙ୍କ ପୁଅ ହେଉଛନ୍ତି ମନୋଜ। ବାପ ଛେଉଣ୍ଡ ମନୋଜ ସାକସିଂହା ସରକାରୀ ହାଇସ୍କୁଲରେ ପାଠ ପଢ଼ୁଛନ୍ତି। କିନ୍ତୁ ପଢ଼ାରେ ବାଧକ ସୃଷ୍ଟି କରିଛି ଦାରିଦ୍ର୍ୟତା। ଅନ୍ୟପଟେ ତାଙ୍କ ମା’ ଶାରୀରିକ ଭାବରେ ଅସୁସ୍ଥ ଅଛନ୍ତି। ଘର କଥା ବୁଝିବାକୁ କେହିନାହିଁ। ଏଭଳି ସ୍ଥିତିରେ ପାଲ ତଳେ ଜୀବନ କାଟୁଛନ୍ତି ମା’-ପୁଅ।

ମନୋଜଙ୍କ କହିବା ଅନୁଯାୟୀ, ଏହି ଅସହ୍ୟ ଗ୍ରୀଷ୍ମ ଦିନରେ ଖାଦ୍ୟ ନ ପାଇ ଖାଲି ପେଟରେ ଶୋଇପଡ଼ୁଛନ୍ତି ମା’-ପୁଅ। ଘର ନାହିଁ, ରାସନ କାର୍ଡ ନାହିଁ, ବାପା ଚାଲିଗଲା ପରେ ରୋଜଗାର ନାହିଁ। ଏଣୁ ଏହି ଦୁଃଖୀ ପରିବାରକୁ ଶ୍ରୀମତୀ ପ୍ରଧାନ ସହାୟତାର ହାତ ବଢ଼ାଇଛନ୍ତି।

ଏ ଅବସରରେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ଉପସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ, ଲାଲା ସୁବ୍ରତ କୁମାର ସିଂହ, ସୁଧାଂଶୁ ଶେଖର ଦାସ, କଲଳୋକାନ୍ତ ସାହୁ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।