ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡରେ ପୁଣି ଥରେ ଅଣ୍ଡା ଦେଇଛନ୍ତି କୁମ୍ଭୀର। ଏଠାରେ ମାଈ ଘଡ଼ିଆଳ ଅଣ୍ଡାଦାନ କରିଥିବା ସୂଚନା ମିଳିଛି। ବନବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇନାହିଁ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କିଛି ଦିନ ହେବ ଅଣ୍ଡିରା ଓ ମାଈ ଘଡ଼ିଆଳ ବଳଦମଡା ଠାରେ ବସା ବାନ୍ଧି ଜଗି ରହୁଛନ୍ତି। ମୁଖ୍ୟତଃ ମାର୍ଚ୍ଚ ଶେଷ ଏବଂ ଏପ୍ରିଲ ପହିଲାରେ ହିଁ କୁମ୍ଭୀର ମାନେ ଅଣ୍ଡାଦାନ କରିଥାନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ବଳଦମଡା ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ କଟକଣା ଜାରି କରାଯାଇଛି। ବନ ବିଭାଗର ଏକ ଟିମ୍ କୁମ୍ଭୀର ଅଣ୍ଡା ଦେଇଥିବା ଆଖପାଖ ଅଞ୍ଚଳରେ କ୍ୟାମ୍ପ କରି ପାଟ୍ରୋଲିଂ କରୁଛନ୍ତି।
ସୂଚନାଯୋଗ୍ୟ ଯେ ଦୀର୍ଘ ୫୦ ବର୍ଷ ପରେ ୨୦୨୧ଠୁ ଘଡ଼ିଆଳମାନେ ସାତକୋଶିଆ ପ୍ରାକୃତିକ ଆବାସସ୍ଥଳରେ ଅଣ୍ଡା ଦେବା ଆରମ୍ଭ କରିଛନ୍ତି। ଚଳିତବର୍ଷ ୫ମ ଥର ପାଇଁ କୁମ୍ଭୀର ଅଣ୍ଡାଦାନ କରିଥିବା ସୂଚନା ମିଳିଛି।