ଅନଗୁଳ : ସାତକୋଶିଆ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଟିକରପଡ଼ାରେ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ କୁମାର ସାହୁ ଯୋଗ ଦେଇଥିଲେ। ବୈଠକରେ ରାଜ୍ୟରେ ୨୩ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ଅତ୍ୟାଚାରୀ, ବ୍ୟଭିଚାରୀ, ଭ୍ରଷ୍ଟାଚାରୀ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ କଲ୍ୟାଣ ଯୋଜନା ମାନ କରି ଗରିବ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରଚୁର ଅର୍ଥ ଦେଉଥିବା ବେଳେ ବିଜେଡି ସରକାର ଏହାକୁ ବାଟ ମରଣା କରିବା ସହ ନିଜର ଲୋଗ ଲଗାଇ ପ୍ରଚାର କରୁଛି ବୋଲି ଅଭିଯୋଗ କରିଥିଲେ। ପାହାଡ ପର୍ବତ ଘେରା ସାତକୋଶିଆ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ପାଇଁ ବହୁଲୋକ ବାସ ଓ ଚାଷ ହରାଉଛନ୍ତି। ଦୁର୍ବିସହ ଜୀବନ ଜୀଉଁଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ କାର୍ଯ୍ୟକାରିଣୀରେ ଦାବି ହୋଇଛି। ସେହିପରି ବହୁ ସ୍ଥାନରେ ନେଟୱର୍କ ନଥିବାରୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ମିଳୁନାହିଁ। ବନ୍ୟଜନ୍ତୁଙ୍କ ବିଚରଣ ଆଳରେ ସନ୍ଧ୍ୟା ପରେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଉଛି। ଏ ସବୁ ବିଷୟ ପ୍ରତି ଧ୍ୟାନ ଦେଇ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ନଚେତ୍ ଜନଆନ୍ଦୋଳନ କରିବାକୁ ବିଜେପି ନିଷ୍ପତ୍ତି ନେଇଛି। ବୈଠକରେ ଟାଇଁସି ପଞ୍ଚାୟତର ଦୁଇଜଣ ପୂର୍ବତନ ସରପଞ୍ଚ ବେଦବ୍ୟାସ ପ୍ରଧାନ ଓ ବିଜୟ ବେହେରା, ପୁରୁଣାକୋଟ ପଞ୍ଚାୟତର ନେତା ସପନା ଅଦାବର ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ଵଜିତ ମିଶ୍ର, ପର୍ଯ୍ୟବେକ୍ଷକ ସ୍ଵୟମ୍ବର ପ୍ରଧାନ, ସମିତିସଭ୍ଯ ରାଧାକାନ୍ତ ପଲେଇ, ବବିତା ମିଶ୍ର, ଶରତ ପ୍ରଧାନ, ବିଦ୍ୟାଧର ଚିନରା, ବିକାଶ ସାହୁ, ପ୍ରଭାତ ମିଶ୍ର, ପ୍ରତିଭା ରାଣୀ ଜେନା, ଜନାର୍ଦ୍ଦନ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପୂର୍ବତନ ମଣ୍ଡଳ ସଭାପତି ବିରଜା ଜାନି ବୈଠକ ସଂଯୋଜନା କରିଥିବା ବେଳେ ବରିଷ୍ଠ ନେତା ପ୍ରଦୀପ ପ୍ରଧାନ ଧନ୍ୟବାଦ ଦେଇଥିଲେ।