ଅନ୍ୟାନ୍ୟ

ସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

By Angul TV Bureau

October 02, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପର ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ କରାଯାଉଛି। ଅନୁଗୁଳ ଜିଲ୍ଲାର ପରିବେଶକୁ ଅନେକାଂଶରେ ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ସନ୍ତୁଳିତ କରିଥାଏ। ଏଠାକାର ଜୈବବିବିଧତା ଓଡିଶାରେ ସ୍ବତନ୍ତ୍ର ଅଭୟାରଣ୍ୟର ବନ୍ୟପ୍ରାଣୀ, ଉଦ୍ଭିଦ ବଂଶ, ଝରଣା, ପ୍ରକୃତି ନିବାସ ଓ ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ କିଛି ଅସାଧୁ ବ୍ୟକ୍ତି ଅଭୟାରଣ୍ୟ ନିକଟବର୍ତ୍ତୀ ଅଞ୍ଚଳଗୁଡିକରେ ଭୋଜି କରି ଅପରିଷ୍କାର ଓ ଦୂଷିତ କରୁଛନ୍ତି। ମଦ୍ୟ ପାନ କରି କାଚ ବୋତଲ ଗୁଡିକ ଏଣେତେଣେ ପକେଇ ଦେଉଛନ୍ତି।

ଫଳରେ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ହାନୀ ହେଉଛି। ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି। ଅନ୍ୟ ଜିଲ୍ଲା, ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କ ନଜରରେ ଆମର ସମ୍ମାନ ହାନୀ ହେଉଅଛି। ଏହାକୁ ଗୁରୁତର ସହ ଚିନ୍ତା କରି ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ୬୭ ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ସାଥୀ ପରିବାର ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହେଇଛି କାଚ ବୋତଲ ଓ ଭଙ୍ଗା କାଚ ମୁକ୍ତ ସାତକୋଶିଆ ଅଭୟାରଣ୍ୟ କାର୍ଯ୍ୟକ୍ରମ। ଶନିବାର ଅଭୟାରଣ୍ୟର ପମ୍ପାସର ପର୍ଯ୍ୟଟନ ସ୍ଥଳୀରୁ ୩.୮ କୁଇଣ୍ଟାଲ ଭଙ୍ଗା କାଚ ବୋତଲ ସଂଗ୍ରହ କରାଯାଇଛି। ସଂଗ୍ରହ ଭଙ୍ଗା କାଚକୁ କାଚ ବ୍ୟବସାୟୀଙ୍କୁ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ମାସରେ ଦୁଇ ଦିନ କରାଯିବାକୁ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସିଦ୍ଧାର୍ଥ ପ୍ରଧାନ, ଶୁଭେନ୍ଦୁ ସାହୁ, ଦିଲ୍ଲୀପ ସାହୁ, ସମ୍ବିତ ସାହୁ, ରାଧାମୋହନ ସାହୁ, ରାଜେଶ ରଞ୍ଜନ ସାହୁ ଓ ସୁବ୍ରତ କୁମାର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।