ମୁଖ୍ୟ ଖବର

ଜେଏସପି ଫାଉଣ୍ଡେସନ ତରଫରୁ ମେଧାବୃତ୍ତି ଘୋଷଣା: ଆପଣ ବି ଉଠାଇପାରିବେ ଲାଭ, ଜାଣନ୍ତୁ କେମିତି

By Angul TV Bureau

July 20, 2023

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପ୍ରତିଷ୍ଠାତା ଓମ ପ୍ରକାଶ ଜିନ୍ଦଲଙ୍କ ସ୍ମୃତିରେ ଜେଏସପି ଫାଉଣ୍ଡେସନ ତରଫରୁ ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ଛାତ୍ର ଛାତ୍ରୀମାନଙ୍କ (EWMS) ପାଇଁ – ଓପି ଜିନ୍ଦଲ ଷ୍ଟାର ଏବଂ ଓପି ଜିନ୍ଦଲ ଜୁଏଲ ନାମରେ ଦୁଇଟି ମେଧା ବୃତ୍ତି ଘୋଷଣା କରାଯାଇଛି। ଚଳିତ ବର୍ଷ ୨୧ ଜଣଙ୍କୁ ଓ ପି ଜିନ୍ଦଲ ଜୁଏଲ ଏବଂ ୫୦ ଜଣଙ୍କୁ ଓପି ଜିନ୍ଦଲ ଷ୍ଟାର ମେଧା ବୃତ୍ତି ପ୍ରଦାନ କରାଯିବ। ଚଳିତ ବର୍ଷ ୧୦ମ ଶ୍ରେଣୀ ପାସ କରି +୨ ପ୍ରଥମ ବର୍ଷ (ବିଜ୍ଞାନ)ରେ ଅଧ୍ୟୟନ କରୁଥିବା ୩୦ଜଣ ଛାତ୍ର ଛାତ୍ରୀଙ୍କୁ ଓପି ଜିନ୍ଦଲ ଷ୍ଟାର ମେଧା ବୃତ୍ତି ପ୍ରଦାନ କରାଯିବ। ସେହିପରି +୨(ବିଜ୍ଞାନ) ପାସ କରି ଇଂଜିନିୟରିଂ କିମ୍ବା ମେଡିକାଲ ଏବଂ ଆଇନ ଭଳି ସ୍ନାତକୋତ୍ତର ପାଠ୍ୟକ୍ରମରେ ଦେଶର ଯେ କୌଣସି ଅନୁଷ୍ଠାନରେ ଅଧ୍ୟୟନରତ ଥିବା ପ୍ରଥମ ବର୍ଷର ୯ ଜଣ ଛାତ୍ର ଛାତ୍ରୀଙ୍କୁ ଓ ପି ଜିନ୍ଦଲ ଜୁଏଲ ମେଧା ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଜେଏସପି ଫାଉଣ୍ଡେସନ ପକ୍ଷରୁ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରୁଥିବା ଛାତ୍ର ଛାତ୍ରୀଙ୍କୁ ଯୋଗ୍ୟତା ଆଧାରରେ ସେମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ମେଧା ବୃତ୍ତି ପ୍ରଦାନ କରାଯିବ। ଓପି ଜିନ୍ଦଲ ଷ୍ଟାର ମେଧା ବୃତ୍ତି ନିମନ୍ତେ ପ୍ରାର୍ଥୀ/ ପ୍ରାର୍ଥିନୀ ଅନୁଗୁଳ ଜିଲ୍ଲାର ବଅଁରପାଳ କିମ୍ବା ଛେଣ୍ଡିପଦା ବ୍ଲକର ଜଣେ ସ୍ଥାୟୀ ବାସିନ୍ଦା ହୋଇଥିବା ସହ ସରକାରୀ / ବେସରକାରୀ ସ୍କୁଲ କିମ୍ବା କଲେଜରେ +୨(ବିଜ୍ଞାନ)ରେ ନାମ ଲେଖାଇଥିବ ଏବଂ ଯାହାର ମାସିକ ଶିକ୍ଷା ଶୁଳ୍କ ୧୦୦୦ ଟଙ୍କାରୁ କମ ହୋଇଥିବ। ଏଥି ନିମନ୍ତେ ଆବେଦନକାରୀ ଅଭିଭାବକଙ୍କର ସମସ୍ତ ସୂତ୍ରରୁ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ ଏବଂ ଆବେଦନକାରୀ ଅନ୍ୟ କୌଣସି ସୂତ୍ରରୁ ବୃତ୍ତି ପାଉ ନଥିବା ଆବଶ୍ୟକ। ସେହିପରି ଓପି ଜିନ୍ଦଲ ଜୁଏଲ ମେଧା ବୃତ୍ତି ନିମନ୍ତେ ପ୍ରାର୍ଥୀ/ ପ୍ରାର୍ଥିନୀ ଅନୁଗୁଳ ଜିଲ୍ଲାର ଜଣେ ସ୍ଥାୟୀ ବାସିନ୍ଦା ହୋଇଥିବା ସହ ସେ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା (JEE/NEET/CLAT) କିମ୍ବା ତତୁଲ୍ୟ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବେ ଏବଂ ଆବେଦନକାରୀ / ଅଭିଭାବକଙ୍କର ସମସ୍ତ ସୂତ୍ରରୁ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ ଏବଂ ଆବେଦନକାରୀ ଅନ୍ୟ କୌଣସି ସୂତ୍ରରୁ ବୃତ୍ତି ପାଉ ନଥିବା ଆବଶ୍ୟକ।

ଆବେଦନ କେବଳ ଗୁଗଲ ଫର୍ମ ଲିଙ୍କ https://forms.gle/Fv1PZkN42Aa9kCPT6 ମାଧ୍ୟମରେ ୧୫ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଦାଖଲ କରିବେ। ଅଧିକ ବିବରଣୀ ନିମନ୍ତେ ଜେଏସପି ସିଏସଆର ବିଭାଗର ଅଧିକାରୀ ତାପସ ମହାନ୍ତିଙ୍କୁ ମୋବାଇଲ ନମ୍ବର ୯୭୭୭୪୪୩୮୮୯ରେ ଯୋଗାଯୋଗ କରି ପାରିବେ।