ଅନୁଗୁଳ: ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ତରଫରୁ ଦୁଇ ଦିନିଆ ସଷ୍ଟେନେବଲ୍ ଡେଭଲପମେଣ୍ଟ ଲକ୍ଷ୍ୟ ଉପରେ ସଚେତନତା ଅଭିଯାନ ଆୟୋଜନ କରାଯାଇଛି। ପ୍ରଥମ ଦିନରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ୧୭ଟି ଏସ୍ ଡି ଜି ବିଷୟରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅଭିଯାନର ଶେଷ ଦିନରେ ସ୍ଥାନୀୟ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ କଲେଜସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅଂଶଗ୍ରହଣକାରୀ ପରିବେଶ ପ୍ରଦୂଷଣ, ଲିଙ୍ଗଗତ ସମାନତା, ପରିମଳ, ସ୍ୱଚ୍ଛ ଶକ୍ତି ଏବଂ ଏହାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଭଳି ବିଷୟଗୁଡ଼ିକ ଉପରେ କହିଥିଲେ। ମୁଖ୍ୟ ଅତିଥି ଭାବେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ପଟେଲ ଯୋଗଦେଇ ଛାତ୍ରଛାତ୍ରୀ କିପରି ସ୍ଥାୟୀ ବିକାଶ ଲକ୍ଷ୍ୟ ନିମନ୍ତେ ସଜାଗ ହୋଇପାରିବେ ସେ ବିଷୟରେ କହିଥିଲେ। ସେହିପରି ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଗାନେ ମୁର୍ମୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କଲେ ସଶକ୍ତ ରାଷ୍ଟ୍ର ସମ୍ଭବ ବୋଲି କହିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।