ମୁଖ୍ୟ ଖବର

ଏଣିକି ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଏରୀ, ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ପାଇବେ ସ୍କୁଲ ୟୁନିଫର୍ମ

By Angul TV Bureau

February 26, 2023

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ଦେବେ ସରକାର। ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ଏହି ଡାଏରୀ ଦିଆଯିବ। ଡାଏରୀରେ ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ହୋମୱାର୍କ ଓ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ସେ ନେଇ ଲେଖା ଯିବ। ଫଳରେ ପିଲା କ’ଣ ପଢୁଛି ତାହା ଅଭିଭାବକମାନେ ଜାଣିପାରିବେ। ଏଥିରେ ଅଭିଭାବକଙ୍କ ଦସ୍ତଖତ ବି ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଶନିବାର ସୂଚନା ଦେଇଛନ୍ତି। ସେହିପରି ୨ୟରୁ ୧୦ମ ପର୍ଯ୍ୟନ୍ତ ପିଲାଙ୍କୁ ଖାତା (ନୋଟ୍‌ବୁକ୍) ମିଳିବ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳିତ ବଜେଟ୍‌ରେ ଶିକ୍ଷାର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି। ଆଗରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଡ୍ରେସ୍ ମାଗଣା ଦିଆଯାଉଥିବା ବେଳେ ଏବେ ଦଶମ ପର୍ଯ୍ୟନ୍ତ ଦିଆଯିବ। ସେହିପରି ପ୍ରାଥମିକ ସ୍କୁଲରେ ବି ଶିକ୍ଷକ ପଦ ପୂରଣ ନିମନ୍ତେ ଖୁବ୍ ଶୀଘ୍ର ବଡ଼ ଘୋଷଣା ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଚଳିତ ବଜେଟରେ ଶିକ୍ଷା ଓ କୌଶଳ ବିକାଶ ନିମନ୍ତେ ସରକାର ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହା ଗତଥର ତୁଳନାରେ ୧୦ ପ୍ରତିଶତ ଅଧିକ। ବଜେଟ୍‌ରେ ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟିର ବ୍ୟୟବରାଦ ହୋଇଛି। ସେଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ୧୩୯ କୋଟି ବ୍ୟୟବରାଦ ହୋଇଛି ବୋଲି ଜଣାଯାଇଛି।