ଅନ୍ୟାନ୍ୟ

ସ୍କୁଲ୍ ମିଶ୍ରଣ, ଶିକ୍ଷକ ବଦଳିକୁ ବିରୋଧ

By Biswaranjan Pattnaik

March 16, 2021

ଅନୁଗୁଳ: ଉପସ୍ଥାନ କମ୍ ଥିବାଦର୍ଶାଇ ଆଠମଲ୍ଲିକ ବ୍ଲକ କୃତିବାସପୁର ଗ୍ରାମ ପଞ୍ଚାୟତର ଦାମବାହଳ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ତେନ୍ତୁଳିପଥର ବିଦ୍ୟାଳୟ ସହ ମିଶ୍ରଣକୁ ଗ୍ରାମବାସୀ ଘୋର୍ ବିରୋଧ କରିଛନ୍ତି। ସହିତ ମିଶ୍ରଣ କରାଯିବା ଏଥିସହ ଦାମବାହାଳରେ କାର୍ଯ୍ୟରତ ଦୁଇ ଜଣ ଶିକ୍ଷକଙ୍କୁ ତେନ୍ତୁଳିପଥର ବିଦ୍ୟାଳୟକୁ ବଦଳି କରାଯାଇଛି। ଏହାର ପ୍ରତିବାଦ କରି ଦାମବାହଳ ଗ୍ରାମବାସୀ ଠାକୁରଗଡ଼-ନାକଚି ରାଜ୍ୟ ରାଜପଥ ଅବରୋଧ କରିବା ସହ ତେନ୍ତୁଳିପଥର ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ସକାଳ ୭ଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ।ଖବର ପାଇ ଆଠମଲ୍ଲିକ ବ୍ଳକ ଶିକ୍ଷା ଅଧିକାରୀ ଦାଶରଥୀ ଶୁଣ୍ଢି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉଦ୍ଧବ ବେହେରା, ସ୍ଥାନୀୟ ସରପଞ୍ଚ ସିଧେଶ୍ୱର ସାହୁ ପ୍ରମୁଖ ପହଁଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ସେମାନଙ୍କଠାରୁ ଏକ ଦାବିପତ୍ର ଗ୍ରହଣ କରିଥଲେ। ଏ ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଦାମବାହଳ ଗ୍ରାମର ସଭାପତି ଦ୍ଵାରିକା ପଧାନ, ସମ୍ପାଦକ ଅଶୋକ ପଧାନ, ସନ୍ତୋଷ ପଧାନ, ଦୁଃଶାସନ ଦେହୁରୀ, ଟୁନା ଦେହୁରୀଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା।