ଘଟଣା ଓ ଦୁର୍ଘଟଣା

ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କଲେ ସ୍କୁଲ ଶିକ୍ଷୟିତ୍ରୀ, ପୋଲିସ ନାକେଦମ୍

By Angul TV Bureau

April 07, 2022

ଅନୁଗୁଳ: ଗୁରୁବାର ସକାଳେ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ। ପୂର୍ବରୁ ବିଭିନ୍ନ କାରଣ ଯୋଗୁ ଚର୍ଚ୍ଚାରେ ରହି ଆସୁଥିବା ଶିକ୍ଷୟିତ୍ରୀ ଅନୁପମା ବିଶ୍ବାଳ ଆଜି ସକାଳେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ତାଙ୍କ କହିବାନୁସାରେ, ଦୀର୍ଘ ଦିନ ହେଲାଣି ଜାତୀୟ ରାଜପଥର ମରାମତି ହେଉ ନାହିଁ। ଫଳରେ ଏହି ସ୍ଥାନରେ ଦୁର୍ଘଟଣାମାନ ଘଟୁଛି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣ ହାନି ଘଟୁଥିଲେ ବି ରାସ୍ତା ମରାମତି କରିବା ଉପରେ କେହି ଗୁରୁତ୍ୱ ଦେଉ ନାହାନ୍ତି।

ଏଣୁ ବାଧ୍ୟ ହୋଇ ଆଜି ସେ ନାଲକୋ ଏଫସିଆଇ ଛକ ନିକଟରେ ଜାତୀୟ ରାଜପଥ ଉପରେ ବସିଛନ୍ତି। ଦିଦିଙ୍କୁ ସମର୍ଥନ କରି ସ୍ଥାନୀୟ ଲୋକେ ମଧ୍ୟ ରାସ୍ତାରେ ବସିଥିଲେ। ଫଳରେ ରାସ୍ତା ଜାମ୍ ହୋଇ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ନାଲକୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷୟିତ୍ରୀଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲେ। ଏଣୁ ପୋଲିସ ବାଧ୍ୟ ହୋଇ ମହିଳା ପୋଲିସଙ୍କ ସାହାଯ୍ୟରେ ଦିଦିଙ୍କୁ ଉଠାଇ ଆଣିଥିଲା। ପରେ ରାସ୍ତାରେ ସ୍ୱାଭାବିକ ଭାବେ ଯାନବାହାନ ଚଳାଚଳ କରିଥିଲା।