ଘଟଣା ଓ ଦୁର୍ଘଟଣା

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା: ୨ ଗୁରୁତର, ଜଣେ ଆହତ

By Angul TV Bureau

April 03, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ନୂଆହତା ଗ୍ରାମ ପଞ୍ଚାୟତ ଶଙ୍କର ମେଡିକାଲ ସମ୍ମୁଖରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, ବୁଢ଼ାପଙ୍କ ଗ୍ରାମର ଚକ୍ରଧର ବେହେରାଙ୍କ ପୁଅ କିଶନଜିତ ବେହେରା (୨୧) ଜଣେ ଡେଲିଭରି ବଏ ଭାବେ କାର୍ଯ୍ୟ କରନ୍ତି। ସେ ନିଜ ସ୍କୁଟି (OD 19AB 9775) ଯୋଗେ ଜିନିଷ ପହଞ୍ଚାଇବାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ (OD 19AB 7217) ସହ ତାଙ୍କର ଧକ୍କା ହୋଇଥିଲା। ବାଇକ୍‌ରେ କଣ୍ଟାବଣିଆ ଥାନା କୁଶୁପଙ୍ଗା ଗ୍ରାମର ସତ୍ୟନାରାୟଣ ନାୟକ (୧୮) ଓ ମଙ୍ଗଳପୁର ଗ୍ରାମର ସୁବ୍ରଜିତ ନାୟକ (୨୦) ଥିଲେ।

ଧକ୍କା ଏତେ ଜୋରଦାର ଥିଲା ଯେ ତିନି ଜଣ ଯାକ ରାଜପଥ ଉପରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଡାକ୍ତରଖାନା ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିଛି। ଏହି ମାମଲାରେ ପୋଲିସ ଏକ କେସ୍ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।