ମୁଖ୍ୟ ଖବର

୧୩ତମ ଅନୁଗୁଳ ମହୋତ୍ସବ: ଦ୍ୱିତୀୟ ସନ୍ଧ୍ୟାରେ ଜମିଲା କଳା ଓ ସଂସ୍କୃତିର ଆସର, ହସାଇଲେ ମିଷ୍ଟର ଗୁଲୁଆ

By Angul TV Bureau

April 19, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ସ୍ଥାନୀୟ ଷ୍ଟାଡିୟମରେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଉତ୍ତର କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି ମହୋତ୍ସବ ଗ୍ରାମୀଣ କଳାକାରଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏକ ଶ୍ରେଷ୍ଠ ମାଧ୍ୟମ। ଜିଲ୍ଲାର କଳା ଓ ସଂସ୍କୃତିର ପ୍ରସାର ସହ ସାମ୍ପ୍ରତିକ ସମୟର ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ସାଇବର ଠକେଇ ପ୍ରତି ସତର୍କ ରହିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଜିଲ୍ଲା ପୋଲିସ ସହ ସୁସମ୍ପର୍କ ରଖିବାକୁ ମଧ୍ୟ ସେ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ୍ ଅଖ୍‌ତାର, ଏସପି ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏବଂ ନାଲକୋ ଓ ଏମସିଏଲ ଭଳି ବୃହତ ଶିଳ୍ପାନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଅତିଥି ଭାବେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁରର ଲୋକପ୍ରିୟ ଡାଲଖାଇ ଏବଂ କେନ୍ଦୁଝରର ଝୁମର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଏଥିସହ ପାଇକ ଆଖଡ଼ା ଓ ବିଭିନ୍ନ ନୃତ୍ୟାନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ପ୍ରଦର୍ଶନ କରାଯାଇଥିଲା। ଗାୟକ ନବ୍ୟା ଜ୍ୟୋତିଙ୍କ ସଙ୍ଗୀତରେ ଯୁବପିଢ଼ି ଝୁମିଥିବା ବେଳେ ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆଙ୍କ କୌତୁକିଆ ଅଭିନୟ ଉପସ୍ଥିତ ଶ୍ରୋତାଙ୍କୁ ବେଶ୍ ହସାଇଥିଲା। ଏହି ସମୟରେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତତିଆରି ସାମଗ୍ରୀ ଓ ମସଲା କିଣିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ସମଗ୍ର ପରିବେଶ କଳା, ଶିଳ୍ପ ଏବଂ ପରମ୍ପରାର ଏକ ଅପୂର୍ବ ସମନ୍ୱୟରେ ଉତ୍ସବମୁଖର ହୋଇଉଠିଥିଲା।