ମୁଖ୍ୟ ଖବର

ବସଷ୍ଟାଣ୍ଡ ଗେଟ୍ ସହ ସିକ୍ୟୁରିଟି ଗାର୍ଡକୁ ଧକ୍କା ଦେଲା ପୋଲିସ ବାବୁଙ୍କ ବୋଲେରୋ, ଭିଡିଓ ଭାଇରାଲ

By Angul TV Bureau

March 25, 2025

ଅନୁଗୁଳ: ବୋଲେରୋ ଧକ୍କାରେ ଅନୁଗୁଳ ନୂଆ ବସଷ୍ଟାଣ୍ଡ ସିକୁରିଟି ଗାର୍ଡ ଆହତ ହୋଇଛନ୍ତି। ଦୁର୍ଘଟଣା ବେଳର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। କିନ୍ତୁ ଗାଡ଼ିଟି ପୋଲିସ ଅଧିକାରୀଙ୍କ ହୋଇଥିବାରୁ ଭୟରେ କେହି ଅଭିଯୋଗ କରୁନଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଅନୁଗୁଳ ନୂଆ ବସଷ୍ଟାଣ୍ଡରେ ବସ୍ ଯିବା ରାସ୍ତାରେ ଏକ ଗେଟ୍ ଅଛି। ଏହି ଗେଟ୍ ପାଖରେ ଜଣେ ସିକ୍ୟୁରିଟି ଗାର୍ଡ ଅଛନ୍ତି। ବସ ଯିବା ଆସିବା ସମୟରେ ସେ ଗେଟ୍ ଟେକିଥାଆନ୍ତି। ଶନିବାର ରାତି ପାଖାପାଖି ଗୋଟେ ବେଳେ ନୂଆ ବସଷ୍ଟାଣ୍ଡ ଭିତରେ ଥିବା ଫାଣ୍ଡିକୁ ଏକ ବୋଲେରୋ ଆସିଥିଲା। ସେହି ବୋଲେରୋ ଫାଣ୍ଡିରୁ ବାହାରି ଯିବା ବେଳେ ସିକ୍ୟୁରିଟି ଗାର୍ଡ ଗେଟ୍ ଖୋଲୁଥିଲେ। ଏହି ସମୟରେ ବୋଲେରୋଟି ଗେଟକୁ ଧକ୍କା ଦେଇଥିଲା। ଫଳରେ ଗେଟ୍ ଧରିଥିବା ସିକ୍ୟୁରିଟି ଗାର୍ଡ ଆହତ ହୋଇ ପଡ଼ିଯାଇଥିଲା। କିନ୍ତୁ ବୋଲେରୋ ଚାଳକ ଗାଡ଼ି ନ ଅଟକେଇ ଦ୍ରୁତ ଗତିରେ ପଳାଇଥିଲା। ଘଟଣା ପରେ ଫାଣ୍ଡିର ପୋଲିସ ଆହତ ସିକ୍ୟୁରିଟି ଗାର୍ଡକୁ ଉଠାଇଥିଲେ।

ଅନୁଗୁଳ ବସ ମାଲିକ ସଂଘର ସଦସ୍ୟଙ୍କ କହିବା ଅନୁଯାୟୀ ଏହି ବୋଲେରୋ ପୋଲିସ ବିଭାଗର। ତେଣୁ ଭୟରେ କେହି ଅଭିଯୋଗ କରିନାହାନ୍ତି। କିନ୍ତୁ ଉପଯୁକ୍ତ ତଦନ୍ତ କରି ବୋଲେରୋ ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ।