ମୁଖ୍ୟ ଖବର

ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ଜବତ ଗାଡ଼ି, ପାର୍କିଂ କରିବାକୁ ଜାଗା ପାଉନାହାନ୍ତି ସାଧାରଣ ଲୋକ

By Angul TV Bureau

November 14, 2022

ଆଠମଲ୍ଲିକ : ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ଆଠମଲ୍ଲିକ ପୋଲିସ ୨ ଦିନ ତଳେ ୩ ଟି କୋଇଲା ବୋଝେଇ ଟ୍ରକ ଓ ଗୋଟିଏ ମିନିଟ୍ରକର ଡ୍ରାଇଭରଙ୍କୁ ଧରିଥିଲା। ତାଙ୍କୁ ନୋଟିସ ଦେଇ ଛାଡ଼ିବା ପରେ ଗାଡ଼ି ଗୁଡ଼ିକ କିନ୍ତୁ ଥାନା ସାମ୍ନାରେ ଥୁଆ ହୋଇଛି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି କରିଛି।

ଥାନା ସମ୍ମୁଖ ରାସ୍ତା ବଇଣ୍ଡା -ଆଠମଲ୍ଲିକ -କିଆକଟା ୬୨ ନମ୍ବର ରାଜ୍ୟ ରାଜପଥ ପୂର୍ତ୍ତ ବିଭାଗର। ଏହି ରାସ୍ତା ଆଠମଲ୍ଲିକ ସହରର ମୁଖ୍ୟ ରାସ୍ତା ମଧ୍ୟ। ଥାନା ସମ୍ମୁଖରେ ଦୈନିକ ବଜାର ଓ ମଙ୍ଗଳବାର ସାପ୍ତାହିକ ବଜାର ବସେ। ଲୋକମାନେ ଏଠାରେ ନିଜ ଗାଡ଼ି ରଖି କିଣାକିଣି କରିବାକୁ ଯାଇଥାନ୍ତି। କିନ୍ତୁ ଏବେ ପୋଲିସ ସେଠାରେ ଜବତ ଗାଡ଼ି ରଖିଛି। ଅଟକ ଗାଡିଗୁଡିକୁ ଅଦାଲତ ଚାଲାଣ କରାଯିବ ବୋଲି ଜଣାଯାଇଛି।

କିନ୍ତୁ କୋର୍ଟରେ ମାଜିଷ୍ଟ୍ରେଟ ଅନୁପସ୍ଥିତ ଥିବା ଯୋଗୁଁ ଗୁରୁବାର ଏହି ଗାଡି ଗୁଡିକ ଅଦାଲତକୁ ଚାଲାଣ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି l ଫଳରେ ଆସନ୍ତାକାଲି ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ବୋଲି ଜଳଜଳ କରି ଦିଶୁଛି। ଏଥିପ୍ରତି ପୋଲିସ ବିଭାଗ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।