ଅନ୍ୟାନ୍ୟ

ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଉପରେ ଆଲୋଚନାଚକ୍ର

By Angul TV Bureau

March 26, 2026

ଅନୁଗୁଳ: ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ସ୍ନାତକୋତ୍ତର କମ୍ପୁଟର ବିଜ୍ଞାନ ବିଭାଗ ଆନୁକୂଲ୍ୟରେ କୃତ୍ରିମ ବୁଦ୍ଧିମତା ଦ୍ବାରା ଅଗ୍ରଣୀ କାର୍ଯ୍ୟ: ଆଧୁନିକ କୁତ୍ରିମ ବୁଦ୍ଧିମତା ଦ୍ବାରା ଉତ୍ପାଦନ ବୃଦ୍ଧି ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ଵୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ବସନ୍ତ କୁମାର ସାହୁ ପ୍ରଦୀପ ପ୍ରଜ୍ଵଳନ କରି ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ। କମ୍ପ୍ୟୁଟର ବିଭାଗ ମୁଖ୍ୟ ସହକାରୀ ପ୍ରାଧ୍ୟାପକ ସମ୍ବିତ କୁମାର ପ୍ରଧାନ ସ୍ବାଗତ ସମ୍ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡଃ ସାହୁ ଛାତ୍ରଛାତ୍ରୀ ମାନଙ୍କୁ କମ୍ପ୍ୟୁଟର ବିଜ୍ଞାନ ଦିଗରେ ନୂତନ ଦିଗନ୍ତ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ନିମନ୍ତ୍ରିତ ବକ୍ତା ସରାଙ୍ଗ ଇନ୍ଦିରା ଗାନ୍ଧୀ ଇନ୍ସଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି କମ୍ପ୍ୟୁଟର ବିଭାଗ ମୁଖ୍ୟ ପ୍ରଫେସର ଡଃ ଶ୍ରୀନିବାସ ସେଠୀ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତାର ପ୍ରୟୋଗାତ୍ମକ ଦିଗ ଉପରେ ବିଶେଷ ଦିଗଦର୍ଶନ ଦେଇଥିଲେ। ପରବର୍ତ୍ତୀ ପର୍ବରେ ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟର କମ୍ପୁଟର ବିଭାଗ ସହକାରୀ ପ୍ରାଧ୍ୟାପକ ଡଃ ରମେଶ କୁମାର ସାହୁ ଆଭାଷୀ ମାଧ୍ୟମରେ ସାରଗର୍ଭକ ଉପସ୍ଥାପନ ରଖିଥିଲେ।କାର୍ଯ୍ୟକ୍ରମର ଶେଷ ପର୍ବରେ ବିଭାଗର ଅଧ୍ୟାପକ ଜ୍ୟୋତି ପ୍ରକାଶ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରାଧ୍ୟାପିକା ସୁଚିସ୍ମିତା ଖୁଣ୍ଟିଆ ପରିଚାଳନା କରିଥିଲେ।