ଅନୁଗୋଳ: ସ୍ଥାନୀୟ ପାଠାଗାର ଠାରେ ଅନୁଗୋଳ ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ପାଲାଗାୟକ ତଥା ଲେଖକ ଡ଼ା ହରିହର ଦାସଙ୍କ ଜୟନ୍ତୀ ଅବସରରେ “ପ୍ରଭାବିତ ପ୍ରତିଭା” ଶୀର୍ଷକ ଏକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଏହି ବୌଦ୍ଧିକ ଆଲୋଚନାଚକ୍ର କୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ସମ୍ବଲପୁର ଆଇଆଇଏମର ପ୍ରଫେସର ସୁଜିତ୍ କୁମାର ପୃଷେଠ ।
ଶ୍ରୀ ପୃଷେଠ ନିଜ ବକ୍ତବ୍ୟରେ ବୁଦ୍ଧିଜୀବୀର ସଂଜ୍ଞା ପ୍ରକାଶ କରିବା ସହ ଭାରତ ଇତିହାସରେ ସମାଜ ସୁଧାରକଙ୍କ ଭୂମିକା ବର୍ଣ୍ଣନା କରିଥିଲେ।ମହାତ୍ମା ଗାନ୍ଧୀ ପ୍ରାକ୍ ସ୍ୱାଧୀନତା ଏବଂ ରାମଚନ୍ଦ୍ର ଗୁହାଙ୍କ ଭଳି ଯୋଗଜନ୍ମା ପ୍ରତିଭାଦୀପ୍ତ ପୁରୁଷ ସ୍ୱାଧୀନତା ପରବର୍ତ୍ତୀ ସମୟରେ ନିଜ ଲେଖନୀ ଓ ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ଅନୁପ୍ରେରିତ କରିଥିଲେ ତାହା ଆଲୋକପାତ କରିଥିଲେ। ଏବେ ଏଆଇ ଓ ମୋବାଇଲର ଦୁରୁପଯୋଗ ଯୁବ ପିଢୀଙ୍କୁ ପଥ ଭ୍ରଷ୍ଟ କରୁଛି।ପ୍ରଯୁକ୍ତିବିଦ୍ୟା ଉପରେ ମାତ୍ରାଧିକ ନିର୍ଭରଶୀଳତା ସମାଜରେ ପ୍ରକୃତ ଜ୍ଞାନର ପରିସୀମାକୁ ସଙ୍କୁଚିତ କରିବା ସହ ତଥ୍ୟ ଓ ଅତଥ୍ୟ ମଧ୍ୟରେ ସଂଘର୍ଷ ବଢୁଛି ।
ସମାରୋହରେ ବରିଷ୍ଠ ପ୍ରାବନ୍ଧିକ ରୁଚିର କୁମାର ପାଣିଗ୍ରାହୀ ଶିକ୍ଷାର ବ୍ୟବସାୟୀକରଣ ଓ ଆର୍ଥିକ ଦୁଃସ୍ଥିତି ପ୍ରତିଭାକୁ ପ୍ରଭାବିତ କରୁଛି ବୋଲି କହିଥିଲେ। ଅନ୍ୟତମ ଅତିଥି ସୁଲେଖିକା ରେଣୁବାଳା ମହାପାତ୍ର ଯୋଗ ଦେଇ ଯୁବ ପୀଢ଼ିଙ୍କ ପ୍ରତିଭାର ବିକାଶ ପାଇଁ ପରିବାର ଓ ସମାଜର ସହଯୋଗ ଆବଶ୍ୟକ ବୋଲି କହିଥିଲେ। ଏହାପରେ ଅନିତା ପାଣିଙ୍କ ସଂଯୋଜନାରେ କବିତା ପାଠ ଆୟୋଜିତ ହୋଇଥିଲା। ୪୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ସାହିତ୍ୟ ସଂସଦ ସଭାପତି ଶାନ୍ତନୁ କୁମାର ସର ସ୍ୱାଗତ ଭାଷଣ ଦେବା ସହ ଭାରତୀୟ ପରମ୍ପରାରେ ଶିଷ୍ୟ କିଭଳି ଗୁରୁଙ୍କୁ ପ୍ରଶ୍ନ କରି ନିଜ ପ୍ରଜ୍ଞାକୁ ପରିବ୍ୟାପ୍ତ କରିଥାଏ ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ।ସମାରୋହରେ ଭକ୍ତିମୟୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।ସଂସଦର ସମ୍ପାଦକ ରାଧାକାନ୍ତ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ରଞ୍ଜିତ୍ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।