ମୁଖ୍ୟ ଖବର

ଓଡ଼ିଶାର ନୂଆ ପୋଲିସ ଡିଜି ହେଲେ ବରିଷ୍ଠ ଆଇପିଏସ ଓ୍ୱାଇ ବି ଖୁରାନିଆ

By Angul TV Bureau

August 16, 2024

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ। ୧୯୯୦ ବ୍ୟାଚର ଏହି ଅଫିସରଙ୍କୁ ନିକଟରେ କେନ୍ଦ୍ର ସରକାର ତାଙ୍କ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଥିଲେ। ଏହା ପରେ ସେ ଡିଜିପି ହେବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଆଇପିଏସ ଅରୁଣ ଷଡ଼ଙ୍ଗୀ ଅତିରିକ୍ତ ଡିଜିପି ଭାବେ ଅବସ୍ଥାପିତ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା କିନ୍ତୁ ରାଜ୍ୟର ଏତେ ବଡ଼ ପଦବୀରେ ପୂର୍ଣ୍ଣକାଳୀନ ଡିଜିପି ନହେବା ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା।

ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ତାଙ୍କୁ ଖୁରାନିଆ ଭେଟିଥିବାର ମଧ୍ୟ ସୂଚନା ରହିଥିଲା। ତେଣୁ ଖୁରାନିଆ ଡିଜିପି ହେବା ନେଇ ଏକ ପ୍ରକାର ସ୍ପଷ୍ଟ ସଙ୍କେତ ମିଳି ସାରିଥିଲା, କିନ୍ତୁ ଘୋଷଣାକୁ ଅପେକ୍ଷା ଥିଲା।

ଖୁରାନିଆ ଏହାପୂର୍ବରୁ ବିଏସଏଫ ମୁଖ୍ୟାଳୟର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ହୋଇଥିଲେ। କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ସେ ଓଡ଼ିଶାରେ ଅତିରିକ୍ତ ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ଓଡ଼ିଶାରେ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ବା ଏସପି ଭାବେ କାର୍ଯ୍ୟ କରିଥିଲେ। ଏହାବାଦ ସେ ଦକ୍ଷିଣ ରେଞ୍ଜ ଏବଂ ଉତ୍ତର ରେଞ୍ଜ ଡିଆଇଜି, ଅତିରିକ୍ତ ପୋଲିସ କମିଶନର ଏବଂ ପରେ ପୋଲିସ କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।