ଅନୁଗୁଳ: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଅନୁଗୁଳର ବରିଷ୍ଠ ନେତା ଧରଣୀଧର ସାହୁ। ବୁଧବାର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ଦଳ ବଦଳାଇଥିବା କହିଛନ୍ତି।
ଧରଣୀଧର ପୂର୍ବରୁ ଅନୁଗୁଳ ବିଜେଡିର ଜିଲ୍ଲା ଉପସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏହି ଅବସରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ସାହୁଙ୍କ ଯୋଗଦାନ ଫଳରେ ଅନୁଗୁଳ, ଛେଣ୍ଡିପଦା ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ବିଧାୟକ ଶ୍ରୀ ପ୍ରଧାନ ଆଶା ପ୍ରକଟ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।