Law Judge Gavel And Legality Symbol

ମୁଖ୍ୟ ଖବର

ନାବାଳିକା ବଳାତ୍କାର ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌ ସହ ଜରିମାନା ଦଣ୍ଡାଦେଶ

By Angul TV Bureau

January 30, 2024

ଅନୁଗୁଳ : ଦୁଇ ବର୍ଷ ତଳେ ଅନୁଗୁଳ ସହରରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଶୁଣାଣି କରି ମଙ୍ଗଳବାର ଆଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଫାଷ୍ଟଟ୍ରାକ୍ କୋର୍ଟ ଦୋଷୀକୁ ୨୦ ବର୍ଷ ଜେଲ୍‌ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।

ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ ବ୍ରାହ୍ମଣୀଦେଇପଡ଼ାର ସୁବାସ ସାହୁ(୫୪)କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ୫୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ୨୦୨୨ ମସିହା ମାର୍ଚ୍ଚ ୮ ତାରିଖରେ ସୁବାସ ନିଜ ଘର ଭଡାଟିଆଙ୍କ ଶିଶୁକନ୍ୟାକୁ ଚକୋଲେଟ୍ ଦେଇ ବଳାହାର କରିଥିଲା। ଏନେଇ ବାପା, ମା’ଙ୍କୁ ଜଣାଇଲେ ତଣ୍ଟି ଚିପି ହତ୍ୟା କରିବ ବୋଲି ଧମକ ଦେଇଥିଲା। ସନ୍ଧ୍ୟାରେ ଶିଶୁକନ୍ୟାଙ୍କ ବାପା, ମା’ ପହଞ୍ଚିବା ପରେ ଝିଅ ତାଙ୍କ ଆଗରେ ସବୁ କହିଥିଲା। ଏନେଇ ପରିବାର ପକ୍ଷରୁ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଘର ମାଲିକକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ଏହି ମାମଲାରେ ମୋଟ୍ ୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ ସୁବାସକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ ଭୂତିଆ ମାମଲାର ପରିଚାଳନା କରିଥିଲେ।