ମୁଖ୍ୟ ଖବର

ସ୍ତ୍ରୀକୁ ହତ୍ୟା କରି ଦେଇଥିଲେ ଆତ୍ମହତ୍ୟାର ରୂପ: ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ 

By Angul TV Bureau

February 20, 2025

ଅନୁଗୁଳ: ସ୍ତ୍ରୀକୁ ନିଜେ ମାରି ଆତ୍ମହତ୍ୟାର ରୂପ ଦେଇଥିବା ପିଶାଚ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ କୋର୍ଟ। ଆଜି ୧୯. ୦୭. ୨୦୨୦ ମସିହାର ଏକ ମାମଲାର ଶୁଣାଣି କରି ଅନୁଗୁଳ ଅତିରିକ୍ତ ସେସନ ଜଜ ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ହତ୍ୟାକାରୀ ସ୍ୱାମୀ ନାଲକୋର ଇଲେକଟ୍ରିକାଲ ଇଞ୍ଜିନିୟରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ସନ୍ଦୀପ ପ୍ରବୋଧ କେରକେଟା ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଇଲେକଟ୍ରିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେ ଝାଡ଼ଖଣ୍ଡର ନିଲମ ସୂଚୀତା କୁଜୁରଙ୍କୁ ବିବାହ କରିଥିଲେ। ତାଙ୍କର ୯ ବର୍ଷ ଓ ୪ ବର୍ଷର ଦୁଇଟି ଛୁଆ ମଧ୍ୟ ଅଛନ୍ତି। ଉଭୟ ସ୍ୱାମୀ, ସ୍ତ୍ରୀ ଓ ଦୁଇ ଛୁଆକୁ ନେଇ ନାଲକୋ କ୍ଵାର୍ଟରରେ ରହୁଥିଲେ। ସ୍ତ୍ରୀ ନିଲମ ସୂଚୀତା କୁଜୁର ତାଳଚେର ବ୍ୟାଙ୍କ ଅଫ ଇଣ୍ଡିଆରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। କିନ୍ତୁ ୧୯. ୦୭. ୨୦୨୦ ରାତି ପ୍ରାୟ ୧୨ଟା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ସନ୍ଦୀପ ସ୍ତ୍ରୀ ନିଲମଙ୍କୁ ପ୍ରବଳ ମାଡ ମାରିଥିଲେ। ତେବେ ଉକ୍ତ ଦିନ ସନ୍ଦୀପଙ୍କ ମାଡ଼ ସହିନପାରି ନିଲମ ଘର ଝରକା ଡେଇଁ ସିଡ଼ି ପଟେ ଯିବାକୁ ଚେଷ୍ଟା କରୁଥିବା ବେଳେ ଆଉ ଯାଇନପାରି ସେଠାରେ ଖସି ପଡ଼ିଥିଲେ ଏବଂ ସେହିଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ନିଲମଙ୍କ ମୃତ୍ୟୁ ହୋଇଯିବା ଦେଖି ସନ୍ଦୀପ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ନିଲମଙ୍କ ହାତକୁ ଧାରୁଆ ଅସ୍ତ୍ରରେ କାଟି ନାଲକୋ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ଡାକ୍ତର ନିଲମକୁ ମୃତ ଅବସ୍ଥାରେ ପାଇ ନାଲକୋ ଥାନାକୁ ଖବର ଦେଇଥିଲେ। ଖବର ପାଇ ନାଲକୋ ଥାନା ପୋଲିସ ନିଲମଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନିଲମଙ୍କ କିଡନୀ, ଛାତି ଏବଂ ଶ୍ୱାସ ନଳୀରେ ପ୍ରବଳ ଆଘାତ ଲାଗି ଦ୍ୱାରା ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ପରେ ନାଲକୋ ପୋଲିସ ସନ୍ଦୀପଙ୍କୁ ଗିରଫ କରିଥିଲେ।

ଆଜି ଅନୁଗୁଳ ଅତିରିକ୍ତ ସେସନ ଜଜ ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ରାଜଲକ୍ଷ୍ମୀ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ଡାକ୍ତର ସମେତ ୨୧ ଜଣ ସାକ୍ଷୀ ପ୍ରମାଣ ଆଧାରରେ ସ୍ତ୍ରୀ ହତ୍ୟାକାରୀ ସନ୍ଦୀପଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି।

ସେହିପରି ଦୁଇଟି ଯାକ ଛୁଆକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ପ୍ରଦୀପ କୁମାର ଦାଶ, ଆଡିସନାଲ ପିପି ପ୍ରଦୀପ କୁମାର ଭୁତିଆ ଏବଂ ରଶ୍ମି ରେଖା ଦେଓ ପରିଚାଳନା କରୁଥିଲେ।