ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅତିରିକ୍ତ ଜିଲ୍ଳା ଦୌରାଜଜ୍ ସତ୍ୟନାରାୟଣ କର ଏକ ନରହତ୍ୟା ମାମଲାର ବିଚାର କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅଭିଯୁକ୍ତ ସୁଭେଦାର ସୁରେନକୁ ୧୦ ହଜାର ଟଙ୍କା ଜରିମାନା ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ସୂଚନା ମୁତାବକ, ପାଳଲହଡ଼ା ଥାନା ଅନ୍ତର୍ଗତ ସୋଲଡ଼ା ଗ୍ରାମର ବୁଧୁରାମ କୁଙ୍କାଳ ପାଳଲହଡ଼ା ଥାନାରେ ଅଭିଯୋଗ କରିଥିଲେ ଯେ ଛେଳି ଓ କୁକୁଡ଼ା ଜିନିଷ ନଷ୍ଟ କରି ଦେଉଥିବା ନେଇ ତାଙ୍କର ସୁବେଦାର ସୁରେନଙ୍କ ମଧ୍ୟରେ କଳିଝଗଡ଼ା ଲାଗୁଛି।କାହିଁକି ଅଭିଯୋଗ କଲୁ ବୋଲି ୨୦/୦୯/୨୦୧୯ ସନ୍ଧ୍ୟା ୫ଟା ସମୟରେ ପୁନଃ ଯୁକ୍ତିତର୍କ ହେବାରୁ ରାଗରେ ସୁବେଦାର ସୁରେନ୍ ଘରୁ ଟାଙ୍ଗିଆ ଆଣି ଗୋଡ଼େଇ ଗୋଡ଼େଇ କୁଙ୍କାଳର ମୁଣ୍ଡ, ଦୁଇହାତ ଓ ଦୁଇବାହୁ ପଛପାଖ ଦୁଇତିନି ଚୋଟ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ କୁଙ୍କାଳଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ପାଳଲହଡ଼ା ପୁଲିସ ସୁବେଦାରକୁ ଗିରଫ କରିଥିଲା।
ବୁଧବାର କୋର୍ଟ ଦୋଷୀକୁ ଆଜୀବନ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିବା ରାୟରେ ପ୍ରକାଶ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଜ୍ୟୋତିପ୍ରକାଶ ମହାପାତ୍ର (କ୍ୟାଡର), ନିର୍ମଳ କୁମାର ତ୍ରିପାଠୀ ଓ ନରେଶ ଚନ୍ଦ୍ର ନାଏକ ସରକାରଙ୍କ ପକ୍ଷରୁ ପରିଚାଳନା କରିଥିଲେ।