ଅନୁଗୁଳ: ଗୁରୁବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ମା’କୁ ହତ୍ୟା କରିଥିବା ଜଣେ ପୁଅକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୦୨୧ ମେ’ ୬ ରେ ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା ଗାଁର ଚନ୍ଦ୍ରମଣି ପୃଷ୍ଟି (୩୦) ନିଜ ମା’ ପ୍ରମୋଦିନୀ ପୃଷ୍ଟି (୬୦)ଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ପ୍ରମୋଦିନୀ ତାକୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ରମଣି ନିଜ ମା’କୁ ମାର ଧର କରିଥିଲେ। ତାଙ୍କର ପ୍ରବଳ ରକ୍ତସ୍ରାବ ହେବାରୁ ପରିବାର ଲୋକେ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ପୁଣି ତାଙ୍କୁ କଟକ ସ୍ଥାନାନ୍ତର କରିଦିଆଯାଇଥିଲା। କିନ୍ତୁ ସେଠାରେ ପ୍ରମୋଦିନୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଚନ୍ଦ୍ରମଣିଙ୍କ ସ୍ତ୍ରୀ ଉପମା ପୃଷ୍ଟି ନିଶା ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ସେତେବେଳେ ଦଫା ୩୦୨ ଆଇପିସିରେ ଏକ ମାମଲା ରୁଜୁ କରି ହତ୍ୟାକାରୀ ଚନ୍ଦ୍ରମଣିକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ସେହିଦିନ ଠାରୁ ଚନ୍ଦ୍ରମଣି ବିଚାରାଧୀନ କଏଦୀ ଭାବେ ସଜା କାଟୁଥିଲା।
ଏବେ କୋର୍ଟ ହତ୍ୟାକାରୀ ଚନ୍ଦ୍ରମଣି ପୃଷ୍ଟିକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରାଯାଇଛି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ପିପି ପ୍ରଦୀପ କୁମାର ଦାସ ପରିଚାଳନା କରୁଥିଲେ।