ଅନୁଗୋଳ: ଆସନ୍ତା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସ ବ୍ୟାପୀ ସେବା ସଙ୍କଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଉପଲକ୍ଷେ ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ଅଭିଯାନରେ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ମାସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମିଶନ ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା, ସଂସ୍କୃତି, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକ ସମ୍ପର୍କ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଏମଏସଏମଇ ଆଦି ବିଭାଗ ଦ୍ୱାରା ଆଶୀର୍ବାଦ ଦୀପ, ପଦଯାତ୍ରା, ମାନବ ଶୃଙ୍ଖଳ, ପରିବର୍ତ୍ତନର କାହାଣୀ, ସେବା ଜ୍ୟୋତି ଯାତ୍ରା, ପଥପ୍ରାନ୍ତ ନାଟକ, ସେବା ସେତୁ ଅଭିଯାନ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେହିପରି ବୃକ୍ଷରୋପଣ, ରକ୍ତଦାନ ଶିବିର ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି।
ଏହି ବୈଠକରେ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସହଯୋଗ ସମନ୍ୱୟ ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଡକ୍ୟୁମେଣ୍ଟେସନ କରି ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ଅବଦାଲ୍ ମହମ୍ମଦ ଆଖତର ନିର୍ଦ୍ଦେଶ ଦେଇଥିଲେ। ସେବା ପର୍ବ ଦ୍ୱାରା ଅନ୍ତୋଦୟ ନାଗରିକ ଯେପରି ଉପକୃତ ହୋଇପାରିବେ ସେଥିପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ମହାନ୍ତ, ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।