ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଟି ପ୍ରାପ୍ତ ବୟସ୍କ ଘଡ଼ିଆଳ। ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଉପସ୍ଥିତିରେ ଏହି ଘଡ଼ିଆଳଙ୍କୁ ମୁକ୍ତ କରାଯାଇଛି।
ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଦୁଇଦିନିଆ ସାତକୋଶିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୁଧବାର ଘଡ଼ିଆଳ ପୁନରୁଦ୍ଧାର ଯୋଜନାର କାର୍ଯ୍ୟ ତଦାରଖ କରିବା ସହ ନନ୍ଦନକାନନରୁ ଅଣାଯାଇଥିବା ଘଡ଼ିଆଳଙ୍କୁ ମୁକ୍ତ କରାଯାଇଥିଲା। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟ ଠାରେ ମୋର ୭ ଟି ପ୍ରାପ୍ତ ବୟସ୍କ ଘଡ଼ିଆଳ ଛଡ଼ାଯାଇଛି। ଛଡ଼ାଯାଇଥିବା ଘଡ଼ିଆଳଙ୍କ ମଧ୍ୟରୁ ୨ଟି ଅଣ୍ଡିରା ହୋଇଥିବା ବେଳେ ୫ ଟା ମାଈ ଅଛନ୍ତି। ଏହି ୭ କୁମ୍ଭୀର ମଧ୍ୟରୁ ୫ଟି ନନ୍ଦନକାନନରୁ ଆସିଥିବା ବେଳେ ଆଉ ୨ଟି ସାତକୋଶିଆ ଟିକରପଡା ଚିଡ଼ିଆଖାନାର।
କାର୍ଯ୍ୟକ୍ରମରେ ନନ୍ଦନକାନନ ନିର୍ଦ୍ଦେଶକ, ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ), ଡ. ମନୋଜ ଭି. ନୟାର, ଘଡ଼ିଆଳ ପୁନଃଉଦ୍ଧାର ଯୋଜନା ଉପଦେଷ୍ଟା ସୁଦର୍ଶନ ମହାରଣା, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଡଃ ସରୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।