ମୁଖ୍ୟ ଖବର

ଜଙ୍ଗଲୀ ବିଷାକ୍ତ ଫୁଲ ଖାଇ ପରିବାରର ସାତ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

By Angul TV Bureau

December 03, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଝାରବେଡା ପଞ୍ଚାୟତ ଅନ୍ତର୍ଗତ ଖୁଲୁଡ଼ି ଆଦିବାସୀ ଗ୍ରାମରେ ଜଙ୍ଗଲୀ ବିଷାକ୍ତ ଫୁଲ ଖାଇ ଗୋଟିଏ ପରିବାରର ସାତ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ପାଳଲହଡ଼ା ଖୁଲୁଡ଼ି ଆଦିବାସୀ ଗାଁର ଗଙ୍ଗା ହେମ୍ବ୍ରମଙ୍କ ଝିଅ ଜଙ୍ଗଲରୁ କିଛି ଜଙ୍ଗଲୀ ଫୁଲ ସଂଗ୍ରହ କରି ଘରକୁ ଆଣିଥିଲେ। ବିଷାକ୍ତ ଫୁଲକୁ ମା’ ହୀରାମଣି ରୋଷେଇ କରି ନିଜ ୬ ଛୁଆକୁ ଖାଇବାକୁ ଦେଇଥିଲେ ଏବଂ ନିଜେ ମଧ୍ୟ ଖାଇଥିଲେ। ପରେ ମା’ ହୀରାମଣି (୩୦) ଙ୍କ ସମେତ ଶିଶୁ ରୋହିତ ହେମ୍ବ୍ରମ (୮), ବାଦଲ ହେମ୍ବ୍ରମ (୬) ଓ ଝିଅ କ୍ଷୀରୋଦିନୀ ହେମ୍ବ୍ରମ(୧୩), ସୋନାଲି ହେମ୍ବ୍ରମ (୧୧), ସୁଭଦ୍ରା ହେମ୍ବ୍ରମ (୧୫) ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଗ୍ରାମବାସୀ ଖବର ପାଇ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସମସ୍ତ ସଦସ୍ୟ ସୁସ୍ଥ ଥିବା ଜଣାପଡ଼ିଛି।