ଘଟଣା ଓ ଦୁର୍ଘଟଣା

ସର୍ଟ ସର୍କିଟ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରା

By Angul TV Bureau

March 17, 2023

ଅନୁଗୁଳ: ଅନୁଗୁଳ ବ୍ଲକ ଟାଇଁସି ଗାଁରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳିଯାଇଛି। ସୂଚନା ଅନୁଯାୟୀ, ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ସନ୍ଧ୍ୟା ପ୍ରାୟ ୬ ଟା ବେଳେ ଗାଁର ଜଗତା ସାହୁଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ହୃଷିକେଶ ସାହୁ, ମହର୍ଗା ସାହୁ, କାଇଁତା ସାହୁ, ଜଗତ ସାହୁ ଏବଂ ଚିତ୍ର ସାହୁଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା। ସେମାନଙ୍କର ୧୦ ବଖରା ଘର ଜଳିଯିବା ସହ ଘରେ ଥିବା ସମସ୍ତ ଆସବାବ ପତ୍ର, ଧାନ, ଚାଉଳ ପୋଡ଼ି ପାଉଁଶ ହୋଇଯାଇଥିଲା। ଗ୍ରାମବାସୀ ଅନୁଗୁଳ ଅଗ୍ନିଶମ ବାହିନୀକୁ ଖବର ଦେଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁ ଏତେ ପ୍ରଚଣ୍ଡ ଥିଲା ଯେ ତାହାକୁ ଲିଭାଇ ପାରି ନ ଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ।

ତେବେ ଅଗ୍ନି ବିପନମାନେ ବହୁ ଗରିବ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।